ଏ.କେ ବ୍ୟୁରୋ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୪ରୁ ୬ଲେନକୁ ବୃଦ୍ଧି କରିବା ସହ ଭୁବନେଶ୍ୱର ବାଇପାସ୍ (ସପ୍ତସତୀ ମନ୍ଦିର ଛକରୁ ଲିଙ୍ଗିପୁର)ର ୧୧କିମି ରାସ୍ତାକୁ ହାଇସ୍ପିଡ୍ ଇଲେଭେଟେଡ୍ କରିଡ଼ର ଭାବେ ବିକଶିତ କରାଯିବ।
ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ମଧ୍ୟରେ ଯାତାୟାତ ସମୟକୁ ହ୍ରାସ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ମେଗା ପ୍ରକଳ୍ପର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୪ରୁ ୬ଲେନକୁ ବୃଦ୍ଧି କରିବା ସହ ଭୁବନେଶ୍ୱର ବାଇପାସ୍ (ସପ୍ତସତୀ ମନ୍ଦିର ଛକରୁ ଲିଙ୍ଗିପୁର)ର ୧୧କିମି ରାସ୍ତାକୁ ହାଇସ୍ପିଡ୍ ଇଲେଭେଟେଡ୍ କରିଡ଼ର ଭାବେ ବିକଶିତ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର ସବୁଠାରୁ ଆଧୁନିକ ଗମନାଗମନ ଭିତ୍ତିଭୂମିର ନକ୍ସା ଓ ଏହାର ଭବିଷ୍ୟତ ଉପଯୋଗିତା ସମ୍ପର୍କରେ ଆଜି ଉଚ୍ଚସ୍ତରୀୟ ଆଲୋଚନା ହୋଇଛି।
ସୂଚନା ଅନୁସାରେ, ପ୍ରସ୍ତାବିତ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ଓ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଯୋଜନା ଅନୁଯାୟୀ ବର୍ତ୍ତମାନର ୪ ଲେନ୍ ବିଶିଷ୍ଟ ୬୭କିମି ଜାତୀୟ ରାଜପଥକୁ ୬ ଲେନ ବିଶିଷ୍ଟ ଅତ୍ୟାଧୁନିକ ରାସ୍ତାରେ ପରିଣତ କରାଯିବ। ଏହାସହିତ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇ ଲେନ ବିଶିଷ୍ଟ ସ୍ୱତନ୍ତ୍ର ସର୍ଭିସ ଲେନ ମଧ୍ୟ ନିର୍ମାଣ କରାଯିବ।
ସେହିପରି ଏହି ପ୍ରକଳ୍ପରେ ଭୁବନେଶ୍ୱର ସହରର ସପ୍ତସତୀ ମନ୍ଦିର ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ପ୍ରାୟ ୧୧କିମି ରାସ୍ତା(ବାଇପାସ)କୁ ୬ଲେନ୍ ବିଶିଷ୍ଟ ହାଇସ୍ପିଡ୍ ଇଲେଭେଟେଡ୍ କରିଡ଼ର ଭାବେ ନିର୍ମାଣ କରାଯିବ। ଏହି ଓଭରବ୍ରିଜ୍ ପରି ଉପର ରାସ୍ତା ତଳେ ଉଭୟ ପାର୍ଶ୍ୱରେ ୩ଲେନ ବିଶିଷ୍ଟ ସର୍ଭିସ ରୋଡ଼ ରହିବ। ଏହି ବ୍ୟବସ୍ଥା ଦ୍ୱାରା ରାଜଧାନୀ ଭୁବନେଶ୍ୱରରେ ଭିତରେ ଗାଡ଼ି ମୋଟର ଭିଡ଼ର ସ୍ଥାୟୀ ସମାଧାନ ହେବା ସହ ପୁରୀ ଓ ଭୁବନେଶ୍ୱର ମଧ୍ୟରେ ଯାତ୍ରା ସମୟ ବହୁ ପରିମାଣରେ କମିଯିବ।
ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବା ଅତ୍ୟାଧୁନିକ ୱେସାଇଡ ଆମିନିଟିଜ ବା ବିଶ୍ରାମ ସ୍ଥଳୀ ମଧ୍ୟ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି ।
ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳ ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏହି ପ୍ରକଳ୍ପରେ ଏକ ସ୍ୱତନ୍ତ୍ର ଓ ସୁରକ୍ଷିତ ୟୁଟିଲିଟି କରିଡର ନିର୍ମାଣ କରିବାକୁ ନିଷ୍ପତ୍ତିି ହୋଇଛି। ଏହି କରିଡର ମାଧ୍ୟମରେ ବିଦ୍ୟୁତ, ଟେଲିଫୋନ, ଇଂଟରନେଟ, ପାଣି ଓ ଗ୍ୟାସ ପାଇପଲାଇନ ଭଳି ସମସ୍ତ ଅତ୍ୟାବଶ୍ୟକ ସେବାକୁ ଭୂତଳ ମାର୍ଗରେ ନିଆଯିବ, ଯାହାଦ୍ୱାରା ବଡ଼ ବାତ୍ୟା ସମୟରେ ମଧ୍ୟ ଏହି ସେବା ଗୁଡ଼ିକ ବିପର୍ଯ୍ୟସ୍ତ ହେବ ନାହିଁ । ଭବିଷ୍ୟତରେ ପୁରୀରେ ନିର୍ମାଣ ହେବାକୁ ଥିବା ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରସ୍ତାବିତ ଉପକୂଳ ରାଜପଥ ଏବଂ ଅନ୍ୟାନ୍ୟ ପ୍ରକଳ୍ପକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥାନମାନଙ୍କରେ ଫ୍ଲାଏ ଓଭର ଓ ଭେଇକିଲ ଅଣ୍ଡର ପାସ ନିର୍ମାଣ କରି ସର୍ବଶ୍ରେଷ୍ଠ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସମୀକ୍ଷା ବୈଠକରେ ବିଏମସି କମିଶନରଙ୍କ ସମେତ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ଜାତୀୟ ରାଜପଥ ପ୍ରାଧିକରଣ, ଟାଟା ପାୱାର, ଜଙ୍ଗଲ ଓ ପରିବେଶ ବିଭାଗ, ୱାଟକୋ, ଓପିଟିସିଏଲ୍ ଭଳି ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।






