ଏ . କେ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା ସହ କ୍ୟାମ୍ପସଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂତନ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟକୁ ବାଧାମୁକ୍ତ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି

ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା ସହ କ୍ୟାମ୍ପସଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂତନ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଶିକ୍ଷକ ଅଭାବ ଜନିତ ସମସ୍ୟାକୁ କିଛି ପର୍ଯ୍ୟନ୍ତ ଦୂର କରିବା ଦିଗରେ ଏହି ପଦକ୍ଷେପ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତାହା ଏଯାବତ୍ ଶେଷ ହୋଇନାହିଁ । ଏହି ମଧ୍ୟବର୍ତ୍ତୀ ସମୟରେ କ୍ୟାମ୍ପସଗୁଡ଼ିକରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ଅନେକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତା ପ୍ରକାଶ କରିଥିଲେ । ପୂର୍ବରୁ ନିଯୁକ୍ତ ଅତିଥି ଅଧ୍ୟାପକଙ୍କ କାର୍ଯ୍ୟାବଧି ବଢ଼ାଇବା ଏବଂ ନୂଆ ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ସରକାରଙ୍କ ଅନୁମତି ମାଗିବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ସରକାର ଏହି ଗ୍ରୀନ୍ ସିଗନାଲ୍ ଦେଇଛନ୍ତି । ତେବେ ଏହି ସୁବିଧା ସହିତ ସରକାର କିଛି କଠୋର ନିୟମ ମଧ୍ୟ ଜାରି କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶ ଅନୁସାରେ, ସମସ୍ତ ବିଶ୍ୱବିଦ୍ୟାଳୟକୁ ସେମାନଙ୍କର HIMS ପୋର୍ଟାଲରେ କାର୍ଯ୍ୟରତ ଅତିଥି ଅଧ୍ୟାପକଙ୍କ ସଂଖ୍ୟା ଓ ଖାଲି ଥିବା ପଦବୀ ସମ୍ବନ୍ଧୀୟ ସମସ୍ତ ତଥ୍ୟ ତୁରନ୍ତ ଅପଲୋଡ୍ କରିବାକୁ ହେବ । ଏହା ସହିତ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଅତିଥି ଅଧ୍ୟାପକମାନେ ଶ୍ରେଣୀକକ୍ଷରେ ପାଠ ପଢ଼ାଉଥିବା ସମୟର ‘ଜିଓ-ଟ୍ୟାଗ୍ଡ ଫଟୋ’ (Geo-tagged Photos) ପ୍ରମାଣ ସ୍ୱରୂପ ପୋର୍ଟାଲରେ ଅପଲୋଡ୍ କରିବା ବାଧ୍ୟତାମୂଳକ କରାଯାଇଛି, ଯାହା ଦ୍ୱାରା ଶିକ୍ଷାଦାନ କାର୍ଯ୍ୟର ପ୍ରକୃତ ନିରୀକ୍ଷଣ କରାଯାଇପାରିବ । ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ (CMRF) ଯୋଜନାରେ ଚୟନିତ ଗବେଷକମାନଙ୍କୁ ମଧ୍ୟ ଏହି ଶିକ୍ଷାଦାନ ପ୍ରକ୍ରିୟାରେ ସାମିଲ କରାଯାଇଛି । ସେମାନଙ୍କୁ ପ୍ରତି ସପ୍ତାହରେ ୟୁଜି (UG) ଓ ପିଜି (PG) ଛାତ୍ରଛାତ୍ରୀଙ୍କୁ ଅତିକମରେ ପାଞ୍ଚ ଘଣ୍ଟା ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂତନ ଅତିଥି ଅଧ୍ୟାପକଙ୍କ ଆବଶ୍ୟକତା ଗଣନା ସମୟରେ ଏହି ଫେଲୋସିପ୍ ପ୍ରାର୍ଥୀଙ୍କ ଶିକ୍ଷାଦାନ ଅବଦାନକୁ ମଧ୍ୟ ଧ୍ୟାନରେ ରଖିବାକୁ କୁହାଯାଇଛି, ଯାହାଫଳରେ ଚଳିତ ଶିକ୍ଷାବର୍ଷକୁ ସୁଚାରୁ ରୂପେ ଚଲାଇବା ସହ ଶୀଘ୍ର ନିୟମିତ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଦାବି ଜୋର ଧରିଛି ।






