ଏ . କେ ବ୍ୟୁରୋ : ଗ୍ରାମରେ ଦୀର୍ଘ ଦିନ ହେବ ବାରମ୍ବାର ଓ ଅଘୋଷିତ ଭାବେ ବିଦ୍ୟୁତ୍ କାଟ୍ କରାଯାଉଥିଲା । ବିଶେଷ କରି ଚଳିତ ଖରାଦିନେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଦ୍ୟୁତ୍ ନ ରହିବା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଥିଲା । ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ସମସ୍ୟାକୁ ନେଇ ଗ୍ରାମାଞ୍ଚଳରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।
ଏହିଭଳି ଏକ ପରିସ୍ଥିତିରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହେବା ଯୋଗୁଁ ଅସହ୍ୟ ହୋଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ୫ ଜଣ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ କୁମ୍ଭାର ଧାମୁଣୀ ଗ୍ରାମରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସ୍ଥାନୀୟ ସୂଚନା ଅନୁଯାୟୀ, ଗ୍ରାମରେ ଦୀର୍ଘ ଦିନ ହେବ ବାରମ୍ବାର ଓ ଅଘୋଷିତ ଭାବେ ବିଦ୍ୟୁତ୍ କାଟ୍ କରାଯାଉଥିଲା । ବିଶେଷ କରି ଚଳିତ ଖରାଦିନେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଦ୍ୟୁତ୍ ନ ରହିବା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଥିଲା । ଏହି ସମସ୍ୟା ନେଇ ଗ୍ରାମବାସୀଙ୍କ ତରଫରୁ ବିଦ୍ୟୁତ୍ ବିଭାଗ ନିକଟରେ ବାରମ୍ବାର ଲିଖିତ ଓ ମୌଖିକ ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରିନଥିଲେ । ଶେଷରେ ବିଭାଗୀୟ ଅବହେଳା ଯୋଗୁଁ ଗ୍ରାମବାସୀ ବାଧ୍ୟ ହୋଇ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଗତକାଲି କୌଣସି କାର୍ଯ୍ୟ ପାଇଁ ବିଦ୍ୟୁତ୍ ବିଭାଗର ୫ ଜଣ କର୍ମଚାରୀ କୁମ୍ଭାର ଧାମୁଣୀ ଗ୍ରାମକୁ ଆସିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଘେରି ଯାଇଥିଲେ ଏବଂ ଗ୍ରାମ ଭିତରେ ହିଁ ଅଟକ ରଖିଥିଲେ । ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ପ୍ରତିକାର ନହେବା ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଲୋକେ ଜିଦ୍ରେ ଅଟଳ ରହିଥିଲେ । ଗ୍ରାମବାସୀଙ୍କ ଏହି ପ୍ରତିବାଦ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ତୁରନ୍ତ ଏ ନେଇ ବିଷମକଟକ ପୋଲିସ ଓ ଉଚ୍ଚ ବିଦ୍ୟୁତ୍ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ।






