ଏ . କେ ବ୍ୟୁରୋ : ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ, ଆଜି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା (SOP) କୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଭିତର ଭଣ୍ଡାରକୁ ଖୋଲାଯିବ । , ମେ’ ୨୧ (ଆଜି), ମେ’ ୨୩, ମେ’ ୨୬, ମେ’ ୨୮ ଏବଂ ମେ’ ୨୯ ତାରିଖରେ ଏହି ଗଣତି କାର୍ଯ୍ୟ ଜାରି ରହିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଆଜି ପୁଣି ଥରେ ବଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଆଜି ପୁଣି ଖୋଲିବାକୁ ଯାଉଛି କାଳିଆ ସାଆନ୍ତଙ୍କ ସେହି ରହସ୍ୟମୟ ଏବଂ ବହୁମୂଲ୍ୟ ରତ୍ନଭଣ୍ଡାର । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଦଳ ଶ୍ରୀମନ୍ଦିର ଅଭିମୁଖେ ବାହାରି ସାରିଛନ୍ତି। ଆଜି ମୋଟ ଉପରେ ରତ୍ନଗଣତିର ତ୍ରୟୋଦଶ (୧୩ଶ) ଦିନ ହୋଇଥିବା ବେଳେ, କେବଳ ‘ଭିତର ଭଣ୍ଡାର’ର ଅଳଙ୍କାର ଓ ରତ୍ନ ଗଣତିର ଏହା ହେଉଛି ଅଷ୍ଟମ (୮ମ) ଦିନ । ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ, ଆଜି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା (SOP) କୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଭିତର ଭଣ୍ଡାରକୁ ଖୋଲାଯିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଅତି ସତର୍କତା ଏବଂ ସୁରକ୍ଷିତ ଭାବେ କରାଯାଉଛି । ତେବେ ଏହି ଗଣତି ପ୍ରକ୍ରିୟା ଯୋଗୁଁ ଆଜି ଦିନତମାମ ଶ୍ରୀମନ୍ଦିରରେ ଭିତର କାଠ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଥାଇ ଭାବବିହ୍ୱଳ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି । ରତ୍ନଭଣ୍ଡାରରୁ ବାହାରୁଥିବା ପ୍ରତ୍ୟେକଟି ସୁନା, ରୁପା, ହୀରା ଏବଂ ପୁରାତନ ଅଳଙ୍କାରର ଗୁଣବତ୍ତା ଓ ଓଜନର ସୂଚୀ ପ୍ରସ୍ତୁତ କରାଯାଉଛି । ଏପର୍ଯ୍ୟନ୍ତ ମୋଟ ଉପରେ ୬୪ ଘଣ୍ଟା ୪୮ ମିନିଟ୍ର ସମୟ ନେଇ ଗଣତି କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଏହି ବିଶାଳ ରତ୍ନଭଣ୍ଡାରରେ ଥିବା ଅମୂଲ୍ୟ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ପାଇଁ ଅତି ଦକ୍ଷ ସ୍ୱର୍ଣ୍ଣକାର ଏବଂ ସରକାରୀ ପ୍ରତିନିଧିମାନେ ଦିନରାତି ପରିଶ୍ରମ କରୁଛନ୍ତି । ସୂଚନା ଅନୁଯାୟୀ, ରତ୍ନଭଣ୍ଡାରର ସମସ୍ତ ସାମଗ୍ରୀର ସମ୍ପୂର୍ଣ୍ଣ ହିସାବ ସାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସୂଚୀ ବା କାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଚଳିତ ମେ’ ମାସରେ ଆହୁରି ୪ ଦିନ ରତ୍ନ ଭଣ୍ଡାର ଗଣତି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମେ’ ୨୧ (ଆଜି), ମେ’ ୨୩, ମେ’ ୨୬, ମେ’ ୨୮ ଏବଂ ମେ’ ୨୯ ତାରିଖରେ ଏହି ଗଣତି କାର୍ଯ୍ୟ ଜାରି ରହିବ । ମହାପ୍ରଭୁଙ୍କ ଏହି ଅପାର ସମ୍ପତ୍ତିର ସଠିକ୍ ଆକଳନ ଶେଷ ହେବା ପରେ ଏକ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବ, ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଛି ।






