ବୀରମହାରାଜପୁର, ୨୧ ଜୁନ: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପ-କାରାଗାର ପରିସରରେ ଆଜି ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ଶାନ୍ତ ମନ ଏବଂ ସୁସଂଗଠିତ ଜୀବନ ଗଠନର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଉପ-କାରାଗାରର ଅଧିକ୍ଷକ ଦିଲ୍ଲୀପ କୁମାର କେର୍କେଟା ଅଧ୍ୟକ୍ଷତା କରି କହିଥିଲେ ଯେ ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ସୁସ୍ଥତା ସହିତ ମାନସିକ ଚାପ କମିଥାଏ ଏବଂ ଜୀବନରେ ସକାରାତ୍ମକତା ବୃଦ୍ଧି ପାଏ ବୋଲି ସେ ମତ ପ୍ରକାଶ କରିଥିଲେ।
ସହକାରୀ ଉପ-କାରାପାଳ ତପନ କୁମାର ପ୍ରଧାନ ତାଙ୍କ ବକ୍ତବ୍ୟରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି କହିଥିଲେ ଯେ ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀରେ ଯୋଗ ହେଉଛି ସୁସ୍ଥ ଓ ସନ୍ତୁଳିତ ଜୀବନର ମୂଳମନ୍ତ୍ର। ଏହା ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ଯୋଗଗୁରୁ ଡକ୍ଟର ହୃଷୀକେଶ ଦେହେରି ମୁଖ୍ୟ ପ୍ରଶିକ୍ଷକ ଭାବେ ଉପସ୍ଥିତ ରହି ଯୋଗର ବିଭିନ୍ନ ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଯୋଗ ଶରୀର, ମନ ଓ ଆତ୍ମା ମଧ୍ୟରେ ସନ୍ତୁଳନ ସ୍ଥାପନ କରି ଜୀବନକୁ ସୁଖମୟ କରିଥାଏ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଅବସାଦ ଭଳି ଅନେକ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରେ ବୋଲି ସେ ମତ ରଖିଥିଲେ।
ଏହି ଅବସରରେ କମନ୍ ଯୋଗ ପ୍ରୋଟୋକଲ୍ ଅନୁସାରେ ସୂକ୍ଷ୍ମ ବ୍ୟାୟାମ, ତାଡାସନ, ବୃକ୍ଷାସନ, ଭୁଜଙ୍ଗାସନ, ବଜ୍ରାସନ, ପ୍ରାଣାୟାମ ଓ ଧ୍ୟାନ ଆଦିର ଅଭ୍ୟାସ କରାଯାଇଥିଲା। କାରାଗାରର ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ଏକାଠି ହୋଇ ଶୃଙ୍ଖଳିତ ଭାବରେ ଯୋଗାଭ୍ୟାସ କରିଥିଲେ।ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶିବାନାଥ ଦାଶ ମାନସିକ ସ୍ୱାସ୍ଥ୍ୟ ରକ୍ଷାରେ ଯୋଗର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡର ଦେବରାଜ ମାଝୀ ଓ ଅଜିତ ମହାନନ୍ଦ ସହଯୋଗ କରିଥିଲେ।
ଶେଷରେ ମୁଖ୍ୟ ୱାର୍ଡର ପ୍ରମୋଦ ବୁଡେକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।
ବୀରମହାରାଜପୁର ରୁ ଯୁଧିଷ୍ଠିର ଖମାରି ଙ୍କ ରିପୋର୍ଟ






