ଏ . କେ ବ୍ୟୁରୋ : ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀ କିମ୍ବା ସେହି ଦେଶ ଦେଇ ଆସୁଥିବା ଯାତ୍ରୀମାନେ ସତର୍କ ରହିବା ଆବଶ୍ୟକ । ବିଶେଷ କରି ଡିଆର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଭଳି ଅଧିକ ବିପଦ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କଠାରେ ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 
ଦିଲ୍ଲୀ ବିମାନ ବନ୍ଦରରେ ଇବୋଲା ଭାଇରସକୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଡଭାଇଜରୀ ଜାରି କରାଯାଇଛି । ଡିଜିଏଚଏସ (DGHS) ଏହି ବିପଜ୍ଜନକ ଭାଇରସକୁ ନେଇ ସତର୍କତା ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀ କିମ୍ବା ସେହି ଦେଶ ଦେଇ ଆସୁଥିବା ଯାତ୍ରୀମାନେ ସତର୍କ ରହିବା ଆବଶ୍ୟକ । ବିଶେଷ କରି ଡିଆର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଭଳି ଅଧିକ ବିପଦ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କଠାରେ ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବିମାନ ବନ୍ଦରଗୁଡ଼ିକରେ ହେଲଥ୍ ସ୍କ୍ରିନିଂ ଏବଂ ନଜର ରଖିବା ପ୍ରକ୍ରିୟାକୁ ବଢ଼ାଇ ଦିଆଯାଇଛି। ସରକାର କହିଛନ୍ତି ଯେ ସଂକ୍ରମଣକୁ ରୋକିବା ପାଇଁ ଏହା ଏକ ସତର୍କତାମୂଳକ ପଦକ୍ଷେପ। ଭାରତରେ ଏପର୍ଯ୍ୟନ୍ତ ଏହାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ ।
ଇବୋଲା ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ:
ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କଠାରେ ଯଦି ଜ୍ୱର, ଦୁର୍ବଳତା, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି-ଝାଡ଼ା, ଅସ୍ପଷ୍ଟ ରକ୍ତସ୍ରାବ କିମ୍ବା ଗଳା ବସିବା ଭଳି ଲକ୍ଷଣ ଦେଖାଯାଏ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ସହିତ, ଯେଉଁ ଯାତ୍ରୀମାନେ କୌଣସି ସନ୍ଦିଗ୍ଧ ରୋଗୀଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ (Body fluids) ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଇମିଗ୍ରେସନ ପୂର୍ବରୁ ବିମାନ ବନ୍ଦରରେ ଥିବା ହେଲଥ୍ ଡେସ୍କକୁ ଜଣାଇବା ଉଚିତ । DGHS ପକ୍ଷରୁ କୁହାଯାଇଛି ଯେ, ବିଦେଶରୁ ଫେରିବାର ୨୧ ଦିନ ମଧ୍ୟରେ ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ନିଜର ଭ୍ରମଣ ବିଷୟରେ ସୂଚନା ଦିଅନ୍ତୁ। ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମ (IHR) ଅନୁଯାୟୀ ଯାତ୍ରୀମାନେ ସ୍ୱାସ୍ଥ୍ୟ ଯାଞ୍ଚରେ ସହଯୋଗ କରିବା ଆବଶ୍ୟକ ।
WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ପକ୍ଷରୁ ଏହାକୁ ପବ୍ଲିକ ହେଲଥ୍ ଇମରଜେନ୍ସି ଘୋଷଣା କରାଯିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ବିମାନ ବନ୍ଦର ଏବଂ ଅନ୍ୟାନ୍ୟ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇବୋଲା ଭାଇରସ କିପରି ବ୍ୟାପିଥାଏ?
ଇବୋଲା ଏକ ମାରାତ୍ମକ ରୋଗ। ଏହା ବାଦୁଡ଼ି, ମାଙ୍କଡ଼ ଏବଂ ଶଲ୍ୟକ (Porcupine) ଭଳି ବନ୍ୟଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପିଥାଏ। ଏହା ପରେ ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ, ଅଙ୍ଗ କିମ୍ବା ଶରୀରର ଅନ୍ୟାନ୍ୟ ନିର୍ଗତ ତରଳ ପଦାର୍ଥ ମାଧ୍ୟମରେ ଜଣଙ୍କଠାରୁ ଅନ୍ୟଜଣକୁ ବ୍ୟାପିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ବିଛଣା କିମ୍ବା ପୋଷାକରୁ ମଧ୍ୟ ଏହା ବ୍ୟାପିପାରେ।
ଇବୋଲା କାହିଁକି ବିପଜ୍ଜନକ?
– ମୃତ୍ୟୁ ହାର ଅଧିକ
– ଅବସ୍ଥା ଖୁବ୍ ଶୀଘ୍ର ଖରାପ ହୁଏ
– ପ୍ରାରମ୍ଭିକ ଲକ୍ଷଣ ସାଧାରଣ ରୋଗ ଭଳି ମନେହୁଏ
ଚିକିତ୍ସା କ’ଣ?
– ଇବୋଲାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବା ଔଷଧ ନାହିଁ, କିନ୍ତୁ ପ୍ରାରମ୍ଭିକ ଚିକିତ୍ସା ଏବଂ ସଠିକ୍ ଯତ୍ନ ଦ୍ୱାରା ଜୀବନ ରକ୍ଷା କରାଯାଇପାରିବ। ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ଏବଂ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଏହାର ପ୍ରଧାନ ଚିକିତ୍ସା ।
ରୋଗରୁ କିପରି ବଞ୍ଚିବେ?
– ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ରଖନ୍ତୁ
– ବାରମ୍ବାର ସାବୁନରେ ହାତ ଧୁଅନ୍ତୁ
– ମାସ୍କ ଏବଂ ଗ୍ଲୋଭସ୍ (Hand gloves) ବ୍ୟବହାର କରନ୍ତୁ
– ସଂକ୍ରମିତ ପ୍ରାଣୀଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ
– ଭିଡ଼ ସ୍ଥାନରେ ସତର୍କ ରୁହନ୍ତୁ
– କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ






