କାଲି ବିଜେଡିରେ ମିଶି ପାରନ୍ତି ପୂର୍ବତନ ଆଇଏଏସ ଅଧିକାରୀ ତଥା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ନବୀନ ନିବାସରେ ଦଳ କିଛି ବଡ଼ ନେତାଙ୍କୁ ନେଇ ବୈଠକ ବସିଥିବା ବେଳେ ବଢ଼ିଛି ଏହି ଚର୍ଚ୍ଚା।
କୁହାଯାଉଛି, ସୁଜାତାଙ୍କ ଏଣ୍ଟ୍ରି ନେଇ ଆସନ୍ତାକାଲି ଶଙ୍ଖ ଭବନରେ ନବୀନ କରିପାରନ୍ତି ଘୋଷଣା। ଏଥିପାଇଁ ଶଙ୍ଖ ଭବନରେ ଆସନ୍ତାକାଲି ଦିନ ସାଢ଼େ ୧୨ଟାରେ ନବୀନ ବଡ଼ ବୈଠକ ଡାକିଛନ୍ତି। ଏଥିରେ ଉପସ୍ଥିତ ରହିବାକୁ ଦଳର ସମସ୍ତ ବିଧାୟକ ଓ ନେତାଙ୍କୁ କୁହାଯାଇଛି।
ସୁଜାତା ନିଜେ ଶଙ୍ଖ ଭବନରେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିବେ ବୋଲି କୁହାଯାଉଛି।
ସୁଜାତା ବିଜେଡିକୁ ଆସିବା ଚର୍ଚ୍ଚା ଭିତରେ ଶ୍ରୀମୟୀ ମିଶ୍ର ମାରିଛନ୍ତି ତେର୍ଚ୍ଛା ବାଣ। ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ତାମିଲ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡଙ୍କ ମାଷ୍ଟରପ୍ଲାନ୍। ଟ୍ରଷ୍ଟ କରି ଦିଲ୍ଲୀ ଘର ଦଖଲକୁ ନେଇସାରିଛନ୍ତି। ଏବେ ନଜର ନବୀନ ନିବାସ ଓ ଦଳର ପାଣ୍ଠି ଉପରେ। ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ୍ ବୋହୂକୁ ରେଡ୍ କାର୍ପେଟ୍ ସ୍ବାଗତ ପାଇଁ ହେଉଛି ପ୍ରସ୍ତୁତି। କାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି।






