ନୂଆଦିଲ୍ଲୀ,ଏ.କେ ବ୍ୟୁରୋ : : ସୋସିଆଲ ମିଡିଆରେ ଦେଖାଦେଇଥିବା ନୂଆ ଟ୍ରେଣ୍ଡ ‘କକରୋଚ୍ ଜନତା ପାର୍ଟି’ (CJP) କୁ ନେଇ ଏବେ ଦେଶର ସର୍ବୋଚ୍ଚ ଅଦାଲତରେ ହଲଚଲ। ତେବେ ସୁପ୍ରିମକୋର୍ଟ ଏହି ମାମଲାକୁ ନେଇ କୌଣସି ଆଗୁଆ ତଥା ଜରୁରୀକାଳୀନ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ସୋମବାର ପ୍ରଧାନ ବିଚାରପତିଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ଘଟଣାକୁ ସହଜ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ମାମଲାର ଶୁଣାଣି ବେଳେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଏହି ବିଷୟକୁ ନେଇ ଏତେ ଭାବପ୍ରବଣ ବା ଇମୋସନାଲ୍ ହେବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଏମିତି କିଛି ଜରୁରୀ ସ୍ଥିତି ଉପୁଜି ନାହିଁ, ଯାହା ପାଇଁ ତୁରନ୍ତ ଶୁଣାଣି ଦରକାର। ଆମେ ଆଗକୁ ଏହି ବିଷୟକୁ ଦେଖିବେ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଏନ.କେ. ଗୋସ୍ୱାମୀ କୋର୍ଟରେ ଦଲିଲ୍ ରଖିଥିଲେ ଯେ, ସୋସିଆଲ ମିଡିଆରେ ଏଭଳି ଅଭିଯାନ ଯୋଗୁଁ ଦେଶର ନ୍ୟାୟପାଳିକାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ତେଣୁ ଏହାର ତୁରନ୍ତ ଶୁଣାଣି ହେବା ଆବଶ୍ୟକ। କିନ୍ତୁ ପ୍ରଧାନ ବିଚାରପତି ଏହାକୁ ଏକ ଗମ୍ଭୀର ସଙ୍କଟ ବୋଲି ମାନିବାକୁ ମନା କରିଦେଇଛନ୍ତି।ଅନ୍ୟପଟେ ଆବେଦନକାରୀଙ୍କ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, କୋର୍ଟର ଭିତରର ବାର୍ତ୍ତାଳାପ ବା ଶୁଣାଣିକୁ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ଏହା ସହ ନକଲି ଆଇନ ଡିଗ୍ରୀ ମାମଲାରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି।
କେଉଠୁ ଆରମ୍ଭ ହେଲା ‘କକରୋଚ୍ ଜନତା ପାର୍ଟି’?
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଏକ ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଯୁବପିଢ଼ି ଏବଂ କକରୋଚ୍ (ଅସରପା)କୁ ନେଇ ଏକ ଟିପ୍ପଣୀ ଦେଇଥିଲେ। ଏହାକୁ ଆଧାର କରି ଇଣ୍ଟରନେଟରେ ଏହି କାର୍ଟୁନ୍ ଓ ମିମ୍ସ ଅଭିଯାନ ଆରମ୍ଭ ହୋଇଥିଲା। ଯଦିଓ ପରବର୍ତ୍ତୀ ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ମିଡିଆର ଏକ ବର୍ଗ ତାଙ୍କ ବକ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରିଛନ୍ତି, କିନ୍ତୁ ସେତେବେଳକୁ ସୋସିଆଲ ମିଡିଆରେ ଏହା ଏକ ବଡ଼ ଟ୍ରେଣ୍ଡ ପାଲଟି ସାରିଥିଲା।






