ଏ.କେ ବ୍ୟୁରୋ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ପୁନ୍ଦାଳସ୍ଥିତ ସୋନ ନଦୀ ଘାଟରେ ଘଟିଛି ଏହି ଅଘଟଣ । ମୃତ ଦୁଇ ନାବାଳକ ହେଲେ ରାଧାକିଶୋରପୁର ଗାଁର ଲକ୍ଷ୍ମୀଧର ମହାଳିକଙ୍କ ୧୨ ବର୍ଷ ବୟସର ପୁଅ ଆକାଶ ଏବଂ ପ୍ରଦୀପ ବେହେରାଙ୍କ ୧୪ ବର୍ଷ ବୟସର ପୁଅ କାର୍ତ୍ତିକ । ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚିଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।
ଦୁଇଦିନ ପୂର୍ବରୁ ମଧ୍ୟ ଏହିପରି ଅଭାବନୀୟ ଘଟଣା ଘଟିଥିଲା ମାଲକାନଗିରି ଜିଲ୍ଲା ପୋଟେରୁ ବ୍ୟରେଜରେ । ମାଆ ସାମନାରେ ନଦୀରେ ବୁଡ଼ିଗଲା ପୁଅ । ପରିବାର ସହ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୬ ଗାଁର ରୂପକାନ୍ତ ଧର ନିଜ ପରିବାର ସହ ବାଲିମେଳା ନିକଟସ୍ଥ ପଟେରୁ ବ୍ୟାରେଜକୁ ଗାଧୋଇବା ଲାଗି ଯାଇଥିଲେ । ହେଲେ ଗାଧୋଇବା ସମୟରେ ଅନୁପ ତାଙ୍କ ମାମୁ ନବୀନ ଚୌଧୁରୀ ଓ ଭାଇ ଛୋଟୁ ଧର ପାଣି ଭିତରେ ନିଖୋଜ ହୋଇ ଯାଇଥିଲେ । ବହୁ କଷ୍ଟରେ ମାମୁ ଓ ଭାଇ ନିଜ ଉଦ୍ୟମରେ ବାହାରକୁ ଆସିଥିବା ବେଳେ ଅନୁପଙ୍କ ଗୋଡ଼ ଏକ ପଥର ସନ୍ଧିରେ ଲାଗିଯିବା ଯୋଗୁଁ ସେ ପାଣି ଭିତରୁ ବାହାରି ପାରିନଥିଲେ ।






