ଏ.କେ ବ୍ୟୁରୋ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ମାମୁ ଝିଅଙ୍କ ବିସ୍ଫୋରକ ବୟାନ । ବୟଫ୍ରେଣ୍ଡ ଭୀମସେନଙ୍କ ଗିରଫ ପରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମାମୁ ଝିଅ । କହିଛନ୍ତି, କେବଳ ଭୀମସେନ ନୁହେଁ ତାଙ୍କ ଜୀବନରେ ଥିବା ଅନ୍ୟ ଯୁବତୀ ମଧ୍ୟ ଭଉଣୀ ହତ୍ୟାରେ ସମ୍ପୃକ୍ତ । ସେମାନେ ଉଭୟ ସାଙ୍ଗ ନ ଥିଲେ ବରଂ ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।
ଯାହାର ଠୋସ ପ୍ରମାଣ ଦେଇଛନ୍ତି ଚନ୍ଦ୍ରିକାଙ୍କ ମାମୁଁ ଝିଅ ରଶ୍ମିତା । ସାନ୍ତାଳୀ ସମ୍ପ୍ରଦାୟରେ ହୋଲି ପୂର୍ବରୁ ହେଉଥିବା ବାହାବଙ୍ଗା ପର୍ବରେ ଭୀମସେନ ଉକ୍ତ ଯୁବତୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ସେଠାରେ ଭୀମସେନ ଉକ୍ତ ଯୁବତୀଙ୍କୁ ସାନ୍ତାଳୀ ଶାଢ଼ୀ ପିନ୍ଧାଇ ପର୍ବରେ ସାମିଲ କରାଇଥିଲେ। ସାଙ୍ଗ ହୋଇ ଉଭୟ ନାଚିଥିଲେ। ଯାହାର ଫୋଟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଭୀମସେନ ।
ହେଲେ ଚନ୍ଦ୍ରିକାଙ୍କ ମୃତ୍ୟୁ ପରେ ଉକ୍ତ ଫୋଟ ସବୁ ଡିଲିଟ କରି ଦିଆଯାଇଛି। ଚନ୍ଦ୍ରିକାଙ୍କ ଅନୁପସ୍ଥିତିରେ ଉକ୍ତ ଯୁବତୀଙ୍କ ସହିତ ଭୀମସେନ ବୁଲିବା ଏବଂ ଜଣେ ଓଡ଼ିଆ ଝିଅକୁ ଆଦିବାସୀ ସମ୍ପ୍ରଦାୟରେ ସାନ୍ତାଳୀ ଶାଢ଼ୀ ପିନ୍ଧାଇ ନେବା ଉଭୟଙ୍କ ସମ୍ପର୍କ ଭିତର କଥା ସାମ୍ନାକୁ ଆଣୁଛି।
ଏପରିକି ସେ ସବୁ ନିଜେ ଦେଖିଥିବା ଏବଂ ଏ ବାବଦରେ ତାଙ୍କ ଭଉଣୀଙ୍କୁ ଅବଗତ କରାଇଥିବା କହିଛନ୍ତି ମାମୁଁ ଝିଅ ରଶ୍ମିତା । ତେଣୁ ଭୀମସେନ ଏବଂ ଅନ୍ୟ ଯୁବତୀ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା କହିଛନ୍ତି ରଶ୍ମିତା। ଭୀମସେନଙ୍କ ସହିତ ଅନ୍ୟ ଯୁବତୀ ମଧ୍ୟ ସମାନ ଦାୟୀ। ଘଟଣାରେ ଅଧିକ ଖୋଳତାଡ଼ ହେଲେ ଯୁବତୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ ବୋଲି କହିଛନ୍ତି ରଶ୍ମିତା।
ଅନ୍ୟପଟେ ଭୀମସେନ ଟୁଡୁଙ୍କ ଗୀରଫକୁ ନେଇ ଆଶ୍ବସ୍ତ ହୋଇଛନ୍ତି ଚନ୍ଦ୍ରିକାଙ୍କ ବାପା-ମାଆ। ଏହା ସହିତ ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ। ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁ । ଅନ୍ୟ ଯୁବତୀଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଅଣାଯାଉ ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ମାଆ ହୀରାମଣି ହାଁସଦା।






