ଏ.କେ ବ୍ୟୁରୋ : ସାବିତ୍ରୀ ବ୍ରତରେ ଟ୍ରାକ୍ଟର ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । କ୍ଷତିପୂରଣ ଦାବିରେ ଛଅ ଘଣ୍ଟା ହେଲା ରାସ୍ତାରୋକ କରିଛନ୍ତି ଉତ୍ତ୍ଯକ୍ତ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ତେନ୍ତୁଳିଡ଼ିହି ପଞ୍ଚାୟତ ଅନ୍ତର୍ଗତ ମୂଳକାଇମା ଗାଁର ପରେଶ ବିଶ୍ଵାଳ ଚାନ୍ଦବାଲି ସହର ଦେଇ ନିଜ ଘରକୁ ଫେରୁଥିଲେ ।

ହେଲେ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ନମ୍ବର ବିହୀନ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଚାନ୍ଦବାଲି ପୋଲିସ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ପହଞ୍ଚି ମୃତଦେହକୁ ଦୁର୍ଘଟଣାସ୍ଥଳରେ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।
ଫଳରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ମଧ୍ୟ ପହଂଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଦୁର୍ଘଟଣା ଘଟାଇଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।






