ଏ.କେ ବ୍ୟୁରୋ :ପାଇଖାନା ଟାଙ୍କି ସଫା କରିବାକୁ ଆସୁଛନ୍ତି । ହେଲେ ଆଉ ବାହାରିପାରୁନାହାନ୍ତି କି ଦୁନିଆ ଦେଖିପାରୁନାହାନ୍ତି । ଟାଙ୍କି ଭିତରେ ଛଟପଟ ହୋଇ ଚାଲିଯାଉଛି ଜୀବନ । ଓଡ଼ିଶାରେ ଗତ ୧୦ବର୍ଷରେ ଗଲାଣି ୨୬ ଜୀବନ । ସେମାନଙ୍କ ମଧ୍ୟରେ ଶ୍ରମିକ ଓ ଘର ମାଲିକ ଅଛନ୍ତି । ବିନା କୌଣସି ସୁରକ୍ଷା କିଟ୍ ପରିଧାନ ନକରି ଟାଙ୍କି ଭିତରକୁ ଗଲେ ଜୀବନ ଯିବା ଥୟ ବୋଲି ବିଶେଷଜ୍ଞମାନେ ଚେତେଇଛନ୍ତି । ତେଣୁ ଏଦିଗରେ ପ୍ରଥମେ ସଚେତନ ଦରକାର ।
ଗତ ଦୁଇଦିନ ତଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳ କର୍ଲାଖୁଣ୍ଟା ଗାଁରେ ପାଇଖାନା ଟାଙ୍କିରେ ଫସି ୬ଜଣଙ୍କ ମୃତ୍ୟୁ ଘଟିଛି । ଏକ ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ରାଜମିସ୍ତ୍ରୀ, ଜଣେ ଶ୍ରମିକ, ଘର ମାଲିକ ଓ ଜଣେ ଯୁବକ ଆଖି ବୁଜିଛନ୍ତି । ଯଦି ଅନ୍ୟ କିଛି ଘଟଣା ଉପରେ ନଜର ଦେବା ତେବେ, ଚଳିତବର୍ଷ ମାର୍ଚ୍ଚ ମାସରେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ କେସାଇବାହାଲ ଗାଁରେ ନିର୍ମାଣଧୀନ ସେପ୍ଟିକ ଟାଙ୍କି ଭିତରେ ଫସି ଦୁଇ ଶ୍ରମିକ ପ୍ରାଣ ହରାଇଥିଲେ । ଗତବର୍ଷ ଜୁନ୍ ମାସରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପାଦଲଗୁଡା ଗାଁରେ ଟାଙ୍କି ଭିତରେ ଫସି ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।
୨୦୨୪ରେ ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟର ସେପ୍ଟିକ୍ ଟ୍ୟାଙ୍କରେ ଫସି ୩ ବଙ୍ଗୀୟ ଶ୍ରମିକ ଓ ତ୍ରିଶୁଳିଆର ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରେ ପଶ୍ଚିମବଙ୍ଗର ତିନି ଜଣ ଶ୍ରମିକ, ୨୦୨୩ ଜୁଲାଇ ମାସରେ ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ରେ ଦୁଇ ବଙ୍ଗୀୟ ଶ୍ରମିକ, ୨୦୧୮ ସେପ୍ଟେମ୍ବର ମାସରେ ରାୟଗଡ଼ା ଜିଲ୍ଲା ବିଷମ କଟକରେ ୫ ଶ୍ରମିକ ଓ ୨୦୧୬ ମସିହାରେ ବ୍ରହ୍ମପୁରରେ ତିନିଜଣ ବ୍ୟକ୍ତିଙ୍କ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା । ଅଗ୍ନିଶମ ଅଧିକାରୀ ବାବାଜି ଚରଣ ଲେଙ୍କା କହିଛନ୍ତି, ସେପ୍ଟିକ୍ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ ଥାଏ । ତେଣୁ ସଫା କରିବାକୁ ଯିବା ବେଳେ ସୁରକ୍ଷା କିଟ୍ ପିନ୍ଧିବା ନିହାତି ଆବଶ୍ୟକ । ବିଶେଷକରି ଅମ୍ଳଜାନ ବ୍ୟାଗ, ପିପିଇ କିଟ୍, ହ୍ୟାଣ୍ଡ ଗ୍ଲୋବ୍ସ ନେବାକୁ କୁହାଯାଉଛି । ତେଣୁ ପ୍ରଥମେ ସଚେତନ ଦରକାର । ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା କହିଛନ୍ତି, ଏହା ଏକ ଉଦବେଗର ବିଷୟ । ଗାରିମା ଯୋଜନା ଅଛି, ହେଲେ ସେ ବିଷୟରେ କେହି ଜାଣିନାହାନ୍ତି । ନଗର ଉନ୍ନୟନ ବିଭାଗ ଏଦିଗରେ ଦୃଷ୍ଟି ଦେଉ । ଆମେ ସ୍ମାର୍ଟ ହେଲୁଣି, ପାଇଖାନା ଟାଙ୍କି ସଫେଇରେ ଯନ୍ତ୍ର ବ୍ୟବହାର ହେଉ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସମେତ ମୃତକଙ୍କ ପରିବାରକୁ ଅଧିକ ଆର୍ଥିକ ସହାୟତା ମିଳୁ । ଅପରପକ୍ଷେ, ସ୍ୱେରେଜ ଏବଂ ସେପ୍ଟିକ୍ ଟାଙ୍କି କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ୨୦୨୩-୨୪ ରେ ଜାତୀୟ ଯାନ୍ତ୍ରିକ ପରିମଳ ଇକୋସିଷ୍ଟମ ଯୋଜନା (ନମସ୍ତେ) ଆରମ୍ଭ ହୋଇଥିଲା । ୨୦୨୪-୨୫ରେ ‘ନମସ୍ତେ’ ଯୋଜନା ଆସିବା ସହ ଏହା ଅଧୀନରେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଙ୍କୁ ସାମିଲ କରାଯାଇଛି। ଏବେସୁଦ୍ଧା ନମସ୍ତେ ଯୋଜନା ଅଧୀନରେ ୮୯,୨୪୮ ସ୍ୱେରେଜ ଏବଂ ସେପ୍ଟିକ୍ ଟାଙ୍କି କର୍ମଚାରୀ ଏବଂ ୨ ଲକ୍ଷ ୩୪ହଜାର ୪୨୫ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ପଞ୍ଜିକୃତ ହୋଇସାରିଛନ୍ତି।






