ଏ.କେ ବ୍ୟୁରୋ : ତାତିରେ ଲାଗିବ ବ୍ରେକ । ଆଜି ପୂରା ଓଡ଼ିଶାକୁ କାଳବୈଶାଖୀ ପାଇଁ ଆଲର୍ଟ ଜାରି । ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ ଏବଂ ଅନୁଗୋଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ବହିପାରେ। ଅନ୍ୟପଟେ ଗରମ ଓ ଗୁଳୁଗୁଳି ପାଇଁ ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲା ଗଞ୍ଜାମ ଏବଂ ଗଜପତି ସହ ଉପକୂଳ ଓଡ଼ିଶାକୁ ଆଲର୍ଟ ଜାରି ହୋଇଛି।
ସେହିପରି ଆସନ୍ତା କାଲି ମଧ୍ୟ ପୂରା ଓଡ଼ିଶାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗି ରହିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୨ରୁ ୪ ଡିଗ୍ରୀ ଖସିବ ଦିନ ତାପମାତ୍ରା। ପରବର୍ତ୍ତୀ ଦୁଇ ଦିନରେ ପଶ୍ଚିମ ଓଡିଶାର ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ା ଏବଂ ବରଗଡ଼ରେ ୪୨ ରୁ ୪୪ ଡିଗ୍ରୀ ରହିବ ତାତି।






