ଏ.କେ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପ୍ରମୁଖ ଷ୍ଟେସନ ମଧ୍ୟରୁ ଅନ୍ୟତମ ହୁମ୍ମା ରେଳ ଷ୍ଟେସନରେ ଯାତ୍ରୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ପ୍ଲାଟଫର୍ମ ନିର୍ମାଣ କରାଯାଇଥିଲେ ହେଁ, ଦୀର୍ଘ ଦିନ ଧରି ଏଠାରେ କୌଣସି ପ୍ରକାରର ଯାତ୍ରୀ ବିଶ୍ରାମାଗାର କିମ୍ବା ଟିଣ ଛାତ (Waiting Shed) ନିର୍ମାଣ କରାଯାଇ ନାହିଁ। ଫଳରେ ରେଳବାଇ ବିଭାଗର ଏଭଳି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିଦିନ ଏହି ଷ୍ଟେସନ ଦେଇ ଶତାଧିକ ଯାତ୍ରୀ ଟ୍ରେନ୍ ଯୋଗେ ଯାତ୍ରା କରିଥାନ୍ତି। ମାତ୍ର ନୂଆ ପ୍ଲାଟଫର୍ମରେ ବସିବା ପାଇଁ ସ୍ଥାନଟିଏ ନଥିବା ବେଳେ ଖରା କିମ୍ବା ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ଛାତର ବ୍ୟବସ୍ଥା ନାହିଁ। ବିଶେଷ କରି ବର୍ଷା ଦିନେ ଟ୍ରେନ୍ ଅପେକ୍ଷାରେ ଥିବା ଯାତ୍ରୀ, ବୃଦ୍ଧ, ମହିଳା ଓ ଛୋଟ ପିଲାମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଟ୍ରେନରୁ ଓହ୍ଲାଇବା ଏବଂ ଚଢ଼ିବା ସମୟରେ ଖୋଲା ଆକାଶ ତଳେ ଯାତ୍ରୀମାନେ ଅତି ଦୟନୀୟ ଭାବେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ସରକାର ଏବଂ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷ ଏହି ଗମ୍ଭୀର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ହୁମ୍ମା ଷ୍ଟେସନରେ ଯାତ୍ରୀ ପ୍ରତୀକ୍ଷାଳୟ ଏବଂ ପ୍ଲାଟଫର୍ମରେ ଟିଣ ଛାତ ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଯାତ୍ରୀମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଗଞ୍ଜାମ ରୁ ଦୀପକ କୁମାର ସାହୁ ଙ୍କ ରିପୋର୍ଟ ଆପଣଙ୍କ ଖବର






