ଏ.କେ ବ୍ୟୁରୋ : ବେଟି ପଢ଼ାଓ, ବେଟି ବଚାଓ ନାରା ହେଉ, ଅବା ଶିଶୁକନ୍ୟାଙ୍କ ସୁରକ୍ଷା ଓ ବିକାଶକୁ ପ୍ରୋତ୍ସାହନ ପାଇଁ ଅନେକ ଯୋଜନା । ସରକାରୀ ପ୍ରୋତ୍ସାହନ ଓ ସାମାଜିକ ସଚେତନତା ସତ୍ତ୍ୱେ, ଆଜି ଏଭଳି ଅସଚେତନତାର ଅନେକ ଅନ୍ଧାରୀ ଗଳି ଲୁଚି ରହିଛି, ଯେଉଁଠି ଝିଅ ହେବା ପାପ । ଝିଅଙ୍କ ସଫଳତାକୁ ନେଇ ଗର୍ବ କରୁଛି ଆମ ରାଜ୍ୟ ଓ ଦେଶ ।
ହେଲେ ଆଗୁଆ ସହର କଟକ ମାହାଙ୍ଗାରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ଯାଆଁଳା ଝିଅ ଜନ୍ମ ଦେଲେ ବୋଲି ବୋହୂକୁ ମାରିଲେ ଶାଶୁ, ଶ୍ୱଶ୍ୱର । ସେପଟେ ଝାରସୁଗୁଡାରେ ପ୍ରସବ ପରେ ହାତରୁ ଖସିଗଲା ଶିଶୁକନ୍ୟା । ଆମ ଦେଶର ରାଷ୍ଟ୍ରପତି ଜଣେ ମହିଳା, ଅର୍ଥମନ୍ତ୍ରୀ ବି। ଆମ ବିଧାନସଭାର ବାଚସ୍ପତି ମହିଳା, ଉପମୁଖ୍ୟମନ୍ତ୍ରୀ ବି। କେବଳ ରାଜନୀତି ନୁହେଁ, ସୁନୀତା ୱିଲିୟମ୍ସଙ୍କଠୁ ଟିନା ରଥଙ୍କ ପର୍ଯ୍ୟନ୍ତ, ସଫଳ ନାରୀଙ୍କ ତାଲିକା ବେଶ ଲମ୍ୱା । ହେଲେ ଏମିତି ଏକ ଦେଶରେ ଆଜି ବି ଶିଶୁକନ୍ୟା ଉପେକ୍ଷାର ପାତ୍ରୀ । ହଁ, ଏବେବି ଝିଅ ଜନ୍ମ କଲେ ଭୋଗିବାକୁ ପଡ଼ୁଛି ଦଣ୍ଡ । ଯେଉଁଠି ବିଜ୍ଞାନ, କମ୍ପ୍ୟୁଟର ଓ ଏଆଉକୁ ନେଇ ତର୍ଜମା ଚାଲିଛି, ସେଠି ବି ଦେଖିବାକୁ ମିଳୁଛି ଅଶିକ୍ଷାର ଅଭାବନୀୟ ଚିତ୍ର ।
ପୁଅ-ବୋହୂକୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଆଉ କେହି ନୁହେଁ, ନିଜେ ହିତାହିତ ଜ୍ଞାନ ଭୁଲି ବୋହୂକୁ ବାଡ଼େଇ ଚାଲିଛନ୍ତି ମହିଳାଙ୍କ ଶାଶୁ, ଶ୍ୱଶୁର ଓ ନଣନ୍ଦ । ଏଭଳି ଅକଥନୀୟ ନିର୍ଯାତନାର କାରଣ ଜାଣିଲେ ସଭ୍ୟ ସମାଜର ମୁଣ୍ଡ ନଇଁଯିବ । ଯେ କେହି ଭାବିବ, ସତରେ କ’ଣ ଆଜିର ଯୁଗରେ ବଞ୍ଚିଛି ଏଭଳି ମାନସିକତା? ପୁଅ-ବୋହୂ ଦଣ୍ଡ ଭୋଗିବାର ଏକମାତ୍ର କାରଣ ହେଉଛି ସେମାନେ ପୁଅ ବଦଳରେ ଜନ୍ମ ଦେଇଛନ୍ତି ଯାଆଁଳା ଝିଅ ।
ଏ ଘଟଣା କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପଶୁଲୁଣ୍ଡା ଗାଁର । ମାସେ ତଳେ ଚନ୍ଦ୍ରଶେଖର ଜେନା ଓ ପାର୍ବତୀଙ୍କର ଯାଆଁଳା ଝିଅ ହୋଇଥିଲା । ବୋହୂ ଝିଅ ଜନ୍ମ ଦେଲା ବୋଲି ଶାଶୁ, ଶ୍ୱଶୁର ମାସେ ହେଲା କରୁଥିଲେ ଗାଳିଗୁଲଜ। ଆଉ ଏବେ ପୁଅ ଏସବୁକୁ ବିରୋଧ କରିବାରୁ ଉଭୟଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହାର ଭିଡିଓ ଭାଇରାଲ୍ ହୋଇଥିବା ବେଳେ, ମାହାଙ୍ଗା ଥାନାରେ ବି ଏତଲା ହୋଇଛି । ବେଟି ପଢ଼ାଓ, ବେଟି ବଚାଓ ନାରା ହେଉ, ଅବା ଶିଶୁକନ୍ୟାଙ୍କ ସୁରକ୍ଷା ଓ ବିକାଶକୁ ପ୍ରୋତ୍ସାହନ ପାଇଁ ଅନେକ ଯୋଜନା । ସରକାରୀ ପ୍ରୋତ୍ସାହନ ଓ ସାମାଜିକ ସଚେତନତା ସତ୍ତ୍ୱେ, ଆଜି ଏଭଳି ଅସଚେତନତାର ଅନେକ ଅନ୍ଧାରୀ ଗଳି ଲୁଚି ରହିଛି, ଯେଉଁଠି ଝିଅ ହେବା ପାପ । ଯେଉଁଠି ଝିଅ ଭାଗ୍ୟରେ ଜନ୍ମରୁ ଜୁଇ ଯାଏଁ ଲେଖାଥାଏ ସଂଘର୍ଷ ଆଉ ସଂଘର୍ଷ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ପଲସଦାରର ଘଟଣା ବି ଉପରେ ଏବେ ନଜର ପକାନ୍ତୁ । ଅବହେଳାର ଶିକାର ହୋଇ ଜନ୍ମ ହେଉ ହେଉ ଆଖି ବୁଜିଛି ଏକ ଶିଶୁକନ୍ୟା । ପ୍ରସବ ପରେ ନବଜାତକ ଶିଶୁକନ୍ୟା ତଳେ ଖସି ପଡ଼ି ପ୍ରାଣ ହରାଇଛି । ପରିବାର ଲୋକେ କର୍ମଚାରୀଙ୍କ ଅବହେଳା ଅଭିଯୋଗ କରିଥିବା ବେଳେ, ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ରେଙ୍ଗାଲି ପୁଲିସ ଏହାର ତଦନ୍ତ କରୁଛି ।






