ଏ.କେ ବ୍ୟୁରୋ : ଧନାବଡ଼ା ଆଙ୍କୁଳି ଅଞ୍ଚଳରେ ବାଘଛାଲ ବିକ୍ରି ବେଳେ ବ୍ରହ୍ମପୁର ପୁଲିସର ଚଢାଉ। ୩ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ।ସେମାନଙ୍କ ଠାରୁ ଗୋଟିଏ ବାଘଛାଲ,୨ଟି ବୋମା,ଗୋଟିଏ ଖଣ୍ଡା,ଗୋଟିଏ ଲୁହା ରଡ୍ ଏବଂ ଗୋଟିଏ ଛୁରୀ ପୁଲିସ ଜବତ କରିଛି। ଅଭିଯୁକ୍ତମାନେ ରାମଗିରି ଥାନା ଅଧୀନ ଅଞ୍ଚଳର ।

ଶୁକ୍ରବାର ଅପରାହ୍ନରେ ଧନାବଡ଼ା ଆଙ୍କୁଳି ଅଞ୍ଚଳରେ କିଛି ଲୋକ ବାଘଛାଲ ଚାଲାଣ ପାଇଁ ଉଦ୍ୟମ କରୁଥିବା ଜରଡା ଥାନା ସୂଚନା ପାଇଥିଲା। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି ବଣଜଙ୍ଗଲ ଭିତରେ ୪ଜଣ ଲୋକ ଦୌଡିଥିଲେ। ପୁଲିସ ସେମାନଙ୍କ ପିଛା କରିଥିଲା।ଏହି ସମୟରେ ଅଭିଯୁକ୍ତମାନେ ପୁଲିସକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା।ତେବେ ଜଣେ ଅଭିଯୁକ୍ତ ବନ୍ଧୁକ ସହିତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଚଢଉ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ଝୋଟରେ ନିର୍ମିତ ଏକ ବ୍ୟାଗ ପୁଲିସ ଜବତ କରିଥିଲା। ଯେଉଁଥିରେ ଏକ ବାଘଛାଲ ଥିଲା। ବ୍ୟାଗ୍ ଭିତରେ ୨ଟି ବୋମା ଥିଲା। ପୁଲିସକୁ ଅନ୍ୟ ଆପତ୍ତିଜନକ ଜିନିଷପତ୍ର ମଧ୍ୟ ମିଳିଥିଲା। ଅଭିଯୁକ୍ତମାନେ ବାଘଛାଲ ବିକିବା ଉଦ୍ଦେଶ୍ୟରେ ରଖିଥିଲେ। ତେବେ ଏହାକୁ କେଉଁଠୁ ଆଣିଥିଲେ ଏବଂ କେଉଁଠି ବିକ୍ରି କରିଥାନ୍ତେ,ସେ ନେଇ ତଦନ୍ତ ଜାରି ରହିଛି। ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି।






