ଏ.କେ ବ୍ୟୁରୋ : ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର: ମହିଳା ସରପଞ୍ଚଙ୍କୁ ପୋଲିସ ନିର୍ଯାତନା ଅଭିଯୋଗରେ ସାରା ରାଜ୍ୟରେ ପ୍ରତିବାଦ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକଳାପ ଓ ପୋଲିସର ବର୍ବର ନିର୍ଯାତନା ବିରୋଧରେ ସ୍ୱର ତୀବ୍ର ହେବାରେ ଲାଗିଛି। ଏହି ସମ୍ବେଦନଶୀଳ ଘଟଣାରେ ମହାମହିମ ରାଜ୍ୟପାଳଙ୍କ ସଦୟ ହସ୍ତକ୍ଷେପ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜଣେ ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନ ଓ ପୋଲିସର ଏଭଳି ଆଚରଣକୁ ନେଇ ଏବେ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଅଭିଯୋଗ ମୁତାବକ, ଗତ ୧୧/୦୨/୨୦୨୬ ରିଖରେ ସରପଞ୍ଚ ଚାମେଲି ଓଝା ନିଜ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ପାଇଁ ମହାକାଳପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କ ସହ ଦୁର୍ବ୍ୟବହାର କରାଯିବା ସହ ସରପଞ୍ଚଙ୍କ ବିରୋଧରେ ବିଡ଼ିଓଙ୍କ ତରଫରୁ ପୋଲିସରେ ଏକ ମିଥ୍ୟା ଅଭିଯୋଗ କରାଯାଇଥିଲା।
ସବୁଠାରୁ ଗମ୍ଭୀର ବିଷୟ ହେଉଛି, ମହାକାଳପଡ଼ା ପୋଲିସ ଘଟଣାର ନିରପେକ୍ଷ ତଦନ୍ତ କିମ୍ବା ସମାଧାନ କରିବା ପରିବର୍ତ୍ତେ ସରପଞ୍ଚ ଚାମେଲି ଓଝାଙ୍କୁ ରାତି ସମୟରେ ଜବରଦସ୍ତ ଥାନାକୁ ଉଠାଇ ନେଇଥିଲା। ପୋଲିସ ଗାଡ଼ିରେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯିବା ସହ ତାଙ୍କୁ ମରଣାନ୍ତକ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ସଂଘ ଅଭିଯୋଗ କରିଛି। ପରବର୍ତ୍ତୀ ସମୟରେ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପୋଲିସର ଏଭଳି ମାନସିକ ଓ ଶାରୀରିକ ନିର୍ଯାତନା ଯୋଗୁଁ ସରପଞ୍ଚ ଜଣକ ଗୁରୁତର ଅସୁସ୍ଥ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଅମାନୁଷିକ ଘଟଣାକୁ ନେଇ ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘ ପକ୍ଷର ନ୍ୟାୟିକ ତଦନ୍ତ: ତିଖିରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ସହ ଘଟିଥିବା ସମଗ୍ର ଘଟଣାର ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରାଯାଇ ଦୋଷୀ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ମହାକାଳପଡ଼ା ବିଡ଼ିଓ ଅଫିସର ସିସିଟିଭି (CCTV) ଫୁଟେଜ୍ ଏବଂ ସରପଞ୍ଚଙ୍କ ମୋବାଇଲ୍ରେ ରେକର୍ଡ ହୋଇଥିବା ସମସ୍ତ ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କରାଯାଉ । ମହିଳା ସରପଞ୍ଚଙ୍କ ବିରୋଧରେ ଦାୟର କରାଯାଇଥିବା ମିଥ୍ୟା ମୋକଦ୍ଦମାକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ତାଙ୍କୁ ସସମ୍ମାନେ ମୁକ୍ତ କରାଯାଉ ଏବଂ ଜନପ୍ରତିନିଧିଙ୍କ ପ୍ରତି ଅମଲାତନ୍ତ୍ରର ଏଭଳି ମନମୁଖୀ ଶାସନ ଉପରେ ଅଙ୍କୁଶ ଲଗାଯାଉ।
ଏନେଇ ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘର ସଭାପତି ଅରୁଣ ବାଘ ଏବଂ ସମ୍ପାଦକ ନିହାର ରଞ୍ଜନ ଘୋଷଙ୍କ ନେତୃତ୍ୱରେ ଜିଲ୍ଲାର ଅନେକ ସରପଞ୍ଚ ଓ ଜନପ୍ରତିନିଧି ଏହି ଦାବିପତ୍ରରେ ସ୍ୱାକ୍ଷର କରି ସରପଞ୍ଚ ଚାମେଲି ଓଝାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ଜଣେ କାର୍ଯ୍ୟରତ ମହିଳା ପ୍ରତିନିଧିଙ୍କ ପ୍ରତି ଏଭଳି ବ୍ୟବହାର ଓଡ଼ିଶାର ଆଇନ ଶୃଙ୍ଖଳା ଏବଂ ଗଣତନ୍ତ୍ର ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସଂଘ ପ୍ରକାଶ କରିଛି । ବୌଦ୍ଧରୁ କୃତ୍ତିବାସ ପାଳିଆଙ୍କ ରିପୋର୍ଟ ଆପଣଙ୍କ ଖବର






