ଏ.କେ ବ୍ୟୁରୋ : ପୋଲିସର ଦାଦାଗିରି, ଆହତଙ୍କୁ ମେଡିକାଲ ନେବା ବଦଳରେ ମାଗୁଛି ଟଙ୍କା । ଦୁର୍ଘଟଣା ପରେ ମଧ୍ୟ ଆହତଙ୍କୁ ମେଡିକାଲ ନେବା ତ ଦୂର କଥା , ଗୁରୁତରଙ୍କ ସହ ଥିବା ଲୋକ ଠାରୁ ଟଙ୍କା ନେଇଥିବା ଅଭିଯୋଗ । ଏଭଳି ଅମାନବିକତାର ଭିଡିଓ ଭାଇରାଲ ହେଉଛି ।

ପୋଲିସ ଅଧିକାରୀ ଜଣକ ନେହୁରା ହେଉଥିବା ବ୍ୟକ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିବା ପାଇଁ ହାତ ଉଠଉଛନ୍ତି । ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଭଦ୍ରକ ପାଟ୍ରୋଲିଂ ଦାୟିତ୍ୱରେ ରହିଥିବା ସ୍ପେସିଆଲ ପୋଲିସ ଅଫିସର । ଏକ କୁକୁଡ଼ା ଗାଡ଼ିଠାରୁ ବଟି ନେବାକୁ ପୋଲିସ ଗାଡ଼ିକୁ ଗୋଡ଼ାଇ ଭଦ୍ରକ ମଇତାପୁର ପାଖରେ ପହଞ୍ଚିଥିଲା । ସେହି ସମୟରେ ଅନ୍ୟଏକ କାର ବାଲେଶ୍ୱର ଅଭିମୁଖେ ଫେରୁଥିବା ବେଳେ କୁକୁଡ଼ା ଗାଡ଼ିଟି ବ୍ରେକ ମାରିବାରୁ ପଛରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ କୁକୁଡ଼ା ଗାଡ଼ି ପଛପଟୁ ଧକ୍କା ମାରିଥିଲା । ଫଳରେ କାର ଭିତରେ ଡ୍ରାଇଭର ସମେତ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିଲେ । ଉଭୟ ଚାପି ହୋଇ ରହିଥିଲେ । ହେଲେ ପାଟ୍ରୋଲିଂ କରୁଥିବା ପୋଲିସ କିଛି ଶୁଣି ନ ଥିଲେ । ବହୁ କଷ୍ଟରେ ସନ୍ତୋଷଙ୍କୁ ଉଦ୍ଧାର କରି ତାଙ୍କ ସହଯୋଗୀ ଜାତୀୟ ରାଜପଥ ସୁରକ୍ଷା ପାଚେରୀକୁ ଡେରାଇ ଦେଇଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେଉଛି,ତୁରନ୍ତ ଗୁରୁତର ଯୁବକଙ୍କୁ ପିସିଆର ଭ୍ୟାନରେ ମେଡିକାଲ ନିଅନ୍ତୁ ବୋଲି ନେହୁରା ହୋଇଥିଲେ ଯୁବକ । ହେଲେ ପିସିଆର ଭ୍ୟାନ ପୋଲିସ ଓଲଟି ତାଙ୍କୁ ନାଲି ଆଖି ଦେଖାଇଥିଲେ । ପୋଲିସର ଧମକ ଭିଡିଓ ଏବେ ଘୁରି ବୁଲୁଛି । ସାହଯ୍ୟ ମାଗିଥିବା ଯୁବକଙ୍କୁ ଓଲଟି ଗାଡ଼ିରେ ବସ, ଥାନାକୁ ଚାଲ ବୋଲି କହି ହାତ ଉଠାଇ ମାରିବାକୁ ଧମକ ଦେଉଛନ୍ତି । ଭିଡ଼ିଓ ଭାଇରାଲ ପରେ ଭଦ୍ରକ ଏସପି ମନୋଜ କୁମାର ରାଉତ ତଦନ୍ତ କରି ରିପୋର୍ଟ ଦେବାକୁ ଅତିରିକ୍ତ ଏସପିଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ।






