ଏ.କେ ବ୍ୟୁରୋ : ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ବଡ଼ ସଫଳତା । ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ । ଜିହାଦୀ ଡ୍ରଗସ୍ ନାମରେ ମଧ୍ୟ ହୁଏ କାରବାର । ଜବତ ଟାବଲେଟର ମୂଲ୍ୟ ପାଖାପାଖି ୧୮୨ କୋଟି ଟଙ୍କା । ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ । ପଶ୍ଚିମ ଏସିଆ ପଠାଯାଉଥିବା ବେଳେ ଚଢାଉ। ଆନ୍ତର୍ଜାତିକ ଡ୍ରଗ୍ସ ସିଣ୍ଡିକେଟ୍ ଓ ଟେରର୍ ଫଣ୍ଡିଂ ବିରୋଧରେ ଭାରତକୁ ବଡ଼ଧରଣର ସଫଳତା ମିଳିଛି । ପ୍ରଥମ ଥର ପାଇଁ କେପ୍ଟାଗନ୍ ଡ୍ରଗ୍ସ ଜବତ କରିଛି ଭାରତର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ -ଏନ୍ସିବି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ, ଏନ୍ସିବି ଅପରେସନ୍ ରେଜପିଲ୍ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ ପରିମାଣର କେପ୍ଟାଗନ୍ ଡ୍ରଗ୍ସ ଜବତ କରିଛି। ଏହା ଆତଙ୍କବାଦୀ ନେଟୱର୍କ ଭିତରେ ଜିହାଦୀ ଡ୍ରଗ୍ସ ଭାବରେ ପରିଚିତ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଏନ୍ସିବିକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ମଧ୍ୟପ୍ରାଚ୍ୟକୁ ଯାଉଥିବା ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାସ ଓ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରାଯିବା ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ପ୍ରତି ଆମର ପ୍ରତିବଦ୍ଧତାର ଉଦାହରଣ। ଭାରତ ଭିତରକୁ ଆସୁଥିବା ଓ ଭାରତ ଦେଇ ଅନ୍ୟ ଦେଶକୁ ଯାଉଥିବା ପ୍ରତ୍ୟେକ ଡ୍ରଗ୍ସ ଜବତ କରାଯିବ ବୋଲି ଶାହ କହିଛନ୍ତି।…






