ଏ.କେ ବ୍ୟୁରୋ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି । ବିଜୁଳି ବିନା ଘରେ ରହିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି । ଏପରି ସମୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ଲୋକଙ୍କୁ ବିଚଳିତ କରୁଛି । ଗରମଠାରୁ ବଳିଯାଇଛି ଅଘୋଷିତ ବିଦ୍ୟୁତ୍ କାଟ୍ ଜନିତ ଯନ୍ତ୍ରଣା । କାଳବୈଶାଖୀ ଆଳରେ ରାଜ୍ୟର ବିଭିନ୍ନ ଭାଗରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ କରାଯାଉଛି । ଗାଁ ଗହଳି କଥା ଦୂରେ ଥାଉ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ୍ କାଟ କଲବଲ କରୁଛି ।
ସୂଚନା ଅନୁସାରେ ସାଲିଆ ସାହିରେ ତିନି ଧରି ବିଦ୍ୟୁତ ନଥିବାରୁ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ । ଗୋଟିଏ ପଟେ ଗରମ ,ଗୁଳୁଗୁଳି ଓ ଅନ୍ୟପଟେ ପାଣି ସମସ୍ୟାକୁ ନେଇ ନାକେଦମ ହୋଇଛନ୍ତି । ସେପଟେ ବିଦ୍ୟୁତ ସରବରାହ ନେଇ ଇଲେକ୍ଟ୍ରି ଅଫିସକୁ ଫୋନ୍ କଲେ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି । ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଲିଆ ସାହି ବାସିନ୍ଦା । ଅପରପକ୍ଷେ ରାଜଧାନୀରେ ସକାଳେ ଗୁଳୁଗୁଳି, ସନ୍ଧ୍ୟାରେ କାଳବୈଶାଖୀ ହେଉଥିବାରୁ ସନ୍ଧ୍ୟା ହେଲେ ଲୋକଙ୍କୁ ମିଳୁଛି ସାମାନ୍ୟ ଆଶ୍ବସ୍ତି ।






