ଏ.କେ ବ୍ୟୁରୋ : ହାର୍ଦ୍ଦିକ ଯିବା ପରେ ମୁମ୍ବାଇର ପରବର୍ତ୍ତୀ କ୍ୟାପଟେନ୍ କିଏ ହେବ? ଏହି ପ୍ରଶ୍ନର ଉତ୍ତର ଏବେ ରୋହିତ ଶର୍ମାଙ୍କ ପାଖରେ ଅଛି । ୨୦୨୩ରେ ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ଅଧିନାୟକ କରିବାର ନିଷ୍ପତ୍ତି ଯେ ଏକ ବଡ଼ ଭୁଲ୍ ଥିଲା, ତାହା ମୁମ୍ବାଇ ମାଲିକମାନେ ଅନୁଭବ କରିସାରିଛନ୍ତି ।
ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୨୬ ସିଜନ୍ ଏକ କଳା ଅଧ୍ୟାୟ ବା ଦୁଃସ୍ୱପ୍ନ ସଦୃଶ ପ୍ରମାଣିତ ହୋଇଛି । ଯେଉଁ ଦଳ ପାଞ୍ଚ ପାଞ୍ଚଥର ଟ୍ରଫି ନିଜ ନାମରେ କରିଥିଲା, ସେହି ଦଳ ୧୪ଟି ମ୍ୟାଚରୁ ମାତ୍ର ୪ଟିରେ ବିଜୟ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିବା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ତେବେ ପଡ଼ିଆ ଭିତରର ପରାଜୟ ଅପେକ୍ଷା ପଡ଼ିଆ ବାହାରର ଡ୍ରାମା ଏବେ ଚର୍ଚ୍ଚାରେ ରହିଛି । ସବୁଠାରୁ ବଡ଼ ଖବର ହେଉଛି, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୁମ୍ବାଇ ମ୍ୟାନେଜମେଣ୍ଟ ମଧ୍ୟରେ ଫାଟ ଏବେ ଏକ ବଡ଼ ସଙ୍କଟର ରୂପ ନେଇଛି।
ସୂତ୍ର ଅନୁସାରେ, ୩୨ ବର୍ଷୀୟ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଫ୍ରାଞ୍ଚାଇଜ୍ ମାଲିକଙ୍କ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ, ତାହା ସୁଧୁରିବା ଅସମ୍ଭବ ମନେହେଉଛି । ଖରାପ ଫର୍ମ ଏବଂ ଦଳ ଭିତରେ ଥିବା ଅନ୍ତରୀଣ ମତଭେଦ କାରଣରୁ ହାର୍ଦ୍ଦିକ ଏବେ ମୁମ୍ବାଇ ଛାଡ଼ିବାକୁ ମନବଳାଇ ସାରିଛନ୍ତି। ଜଣେ ବରିଷ୍ଠ କୋଚ୍ଙ୍କ ମତରେ, “ଯେତେବେଳେ ଜଣେ ଖେଳାଳି ମ୍ୟାନେଜମେଣ୍ଟ ସହ ମାନସିକ ସ୍ତରରେ ଯୋଡ଼ି ହୋଇ ରହିନଥାଏ, ସେତେବେଳେ ଶ୍ରେଷ୍ଠ ପ୍ରଦର୍ଶନ ଦେବା କଷ୍ଟକର।” ଖୁବଶୀଘ୍ର ହାର୍ଦ୍ଦିକ ନିଜେ ଟ୍ରାନ୍ସଫର ପାଇଁ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହାର୍ଦ୍ଦିକ ଯିବା ପରେ ମୁମ୍ବାଇର ପରବର୍ତ୍ତୀ କ୍ୟାପଟେନ୍ କିଏ ହେବ? ଏହି ପ୍ରଶ୍ନର ଉତ୍ତର ଏବେ ରୋହିତ ଶର୍ମାଙ୍କ ପାଖରେ ଅଛି । ୨୦୨୩ରେ ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ଅଧିନାୟକ କରିବାର ନିଷ୍ପତ୍ତି ଯେ ଏକ ବଡ଼ ଭୁଲ୍ ଥିଲା, ତାହା ମୁମ୍ବାଇ ମାଲିକମାନେ ଅନୁଭବ କରିସାରିଛନ୍ତି । ଏଥର ମ୍ୟାନେଜମେଣ୍ଟ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ସ୍ପଷ୍ଟ ହୋଇଛି ଯେ, ରୋହିତ ନିଜେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବେ ନାହିଁ, କିନ୍ତୁ ଯାହାଙ୍କ ମୁଣ୍ଡରେ ରୋହିତଙ୍କ ‘ଆଶୀର୍ବାଦ’ ବା ସମର୍ଥନ ରହିବ, ସେହି ବ୍ୟକ୍ତି ହିଁ ଦଳର ନେତୃତ୍ୱ ନେବେ। ରୋହିତ ଏବେ ଦଳର ‘ରିମୋଟ୍ କଣ୍ଟ୍ରୋଲ’ ସାଜି ନୂଆ ନେତା ଚୟନ କରିବେ।
ଦଳ ଏବେ ଜଣେ ଯୁବ କ୍ୟାପଟେନଙ୍କୁ ଖୋଜୁଛି ଯିଏ ଦୀର୍ଘ ସମୟ ଧରି ଦଳକୁ ସମ୍ଭାଳିବ। ଏହି ଦୌଡ଼ରେ ସୂର୍ଯ୍ୟ କୁମାର ଯାଦବଙ୍କ ନାମ ଥିଲେ ମଧ୍ୟ, ବୟସ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ୨୩ ବର୍ଷୀୟ ତିଲକ ବର୍ମାଙ୍କ ନାମ ସବୁଠାରୁ ଆଗରେ ରହିଛି। ତିଲକଙ୍କ ପାଖରେ ସଂଯମତା ଏବଂ ଦକ୍ଷତା ଉଭୟ ରହିଛି। ରୋହିତଙ୍କ ମାର୍ଗଦର୍ଶନରେ ତିଲକଙ୍କୁ ଜଣେ ପରିପକ୍ୱ ଅଧିନାୟକ ଭାବେ ଗଢ଼ିତୋଳିବାକୁ ମ୍ୟାନେଜମେଣ୍ଟ ଯୋଜନା କରୁଛି। ଗୁଜରାଟରୁ ହାର୍ଦ୍ଦିକଙ୍କୁ ଆଣି ଅଧିନାୟକ ପଦ ଦେବା ମୁମ୍ବାଇ ପାଇଁ ‘ବୁମେରାଂ’ ସାବ୍ୟସ୍ତ ହୋଇଛି। ଏବେ ଦଳ କେବଳ ଟ୍ରଫି ନୁହେଁ, ବରଂ ନିଜର ପୁରୁଣା ‘ସଂସ୍କୃତି’ ଓ ଏକତାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି । ଆଗାମୀ କିଛି ଦିନ ମଧ୍ୟରେ ହାର୍ଦ୍ଦିକଙ୍କ ଏକଜିଟ୍ ଏବଂ ନୂଆ ଅଧିନାୟକଙ୍କ ଘୋଷଣା ଆଇପିଏଲ୍ ଇତିହାସର ଏକ ବଡ଼ ମୋଡ଼ ହେବାକୁ ଯାଉଛି। ମୋଟାମୋଟି ଭାବେ, ରୋହିତ ଶର୍ମାଙ୍କ ସନ୍ତୁଷ୍ଟି ହିଁ ଏବେ ମୁମ୍ବାଇ ଇଣ୍ଡିଆନ୍ସର ଭବିଷ୍ୟତ ସ୍ଥିର କରିବ।






