ଏ.କେ ବ୍ୟୁରୋ : ଅସମ୍ଭାଳ ହେଲାଣି ଗରମ । ଆକାଶରୁ ନିଆଁ ବର୍ଷା ହେଉଛି । ଯେଉଁଥିରେ ଓଡ଼ିଶାରେ ସରକାରୀ ଭାବେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତେଲେଙ୍ଗାନାରେ ୧୬ ଜଣଙ୍କ ଜୀବନ ଯାଇଛି । ତେବେ ବେସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସେପଟେ ୨୮ ତାରିଖ ପର୍ଯ୍ୟନ୍ତ ଗରମ ଲାଗି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଅକଲ ଗୁଡୁମ ହୋଇଛି । ଗରମରୁ କେମିତି ମୁକାବିଲା କରିବେ, ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ।
ଆବଶ୍ୟକତା ନଥିଲେ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ପରାମର୍ଶ ଦେଇଛି । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରୁଛନ୍ତି, ତାହାହେଲେ ପର୍ଯ୍ୟାପ୍ତ ପାଣି ଓ ଛତା ଧରି ଘରୁ ବାହାରନ୍ତୁ । ଏଥିସହ ଓଦା ଲୁଗାକୁ ଦେହରେ ପକାନ୍ତୁ । ବେଶୀ ଦୂର ଯିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଅସୁବିଧାରେ ପଡ଼ିଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ମିଳିଥିବା ସୂଚନା ଅନୁସାରେ ପ୍ରବଳ ଗରମ ଯୋଗୁ ହେଉଥିବା ଅଂଶୁଘାତରେ ତେଲେଙ୍ଗାନାରେ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ହେଲେ ସରକାରୀ ଭାବେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାଛଡ଼ା ଅନେକ ଅସୁସ୍ଥ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଆନ୍ଧ୍ର୍ରପ୍ରଦେଶରେ ଏହି ସଂଖ୍ୟା ବହୁତ ଅଧିକା ରହିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ୩୧୯ ଜଣ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ସରକାରୀ ଭାବେ ଏ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିପାରି ନାହିଁ । ଆନ୍ଧ୍ର ସରକାର ଅଂଶୁଘାନ ମୃତ୍ୟୁ ସମ୍ପର୍କିତ ଅଭିଯୋଗର ତର୍ଜମା କରୁଛନ୍ତି ।
ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଛି । ଏନେଇ ଦୁଇ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଘୋଷଣା କରିଛନ୍ତି । ଆବଶ୍ୟକ କାଗଜପତ୍ର ପରେ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ସହାୟତା ନେଇପାରିବେ ବୋଲି କହିଛନ୍ତି । ଏଥିସହ ପ୍ରବଳ ଖରା ବେଳେ ଘରୁ ନବାହାରିବା ପାଇଁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।
ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ କହିବା ଅନୁସାରେ ଅଂଶୁଘାତରେ ଓଡ଼ିଶାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୋନପୁରରେ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ତେବେ ୪ ଜଣଙ୍କ ମୃତ୍ୟୁ ଅଂଶୁଘାତ ସମ୍ପର୍କିତ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ଅନ୍ୟ ୧୬ଟି ମାମଲାରେ ଜିଲ୍ଲା ପ୍ରଶାସନ ତଦନ୍ତ ଚଳାଇଛି । ରିପୋର୍ଟ ଆସିଲେ ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ସେଥିରୁ କେନ୍ଦୁଝର ଜିଲ୍ଲାରେ ୩ ଜଣ ଥିବା ବେଳେ ଯାଜପୁର ଜିଲ୍ଲାରେ ୨ ଓ ଢେଙ୍କାନାଳ ଜିଲ୍ଲାରେ ଜଣେ ଅଛନ୍ତି ।






