ଏ.କେ ବ୍ୟୁରୋ : କୁକୁର କାମୁଡ଼ିଥିବା ଚିହ୍ନ, ଅମାନବୀୟ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ନିନ୍ଦା ….
ବୀରମହାରାଜପୁର, ୩୦ ଜୁନ: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାପୁର–ଚମ୍ପାମାଳ ରାସ୍ତା କଡ଼ରୁ ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
କେହି ଦୁର୍ବୃତ୍ତ ଶିଶୁଟିକୁ ରାସ୍ତା କଡ଼ରେ ପକାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦା ବିଧୁଭୂଷଣ ଜଗଦଲା ଓ ତାଙ୍କ ଧର୍ମପତ୍ନୀ ଅନୁପମା ଘଟଣାସ୍ଥଳରେ ଶିଶୁଟିକୁ ଦେଖି ତୁରନ୍ତ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ ଅଧିକ ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶିଶୁଟିର ଚିକିତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞଙ୍କ କହିବାନୁସାରେ, ତାହାର ଶରୀରରେ କୁକୁର କାମୁଡ଼ିଥିବା ଭଳି ଚିହ୍ନ ରହିଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଜାରି ରହିଥିବା ବେଳେ ତାହାର ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି।
ଘଟଣାଟି ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏଭଳି ଅମାନବୀୟ jକାର୍ଯ୍ୟକୁ ବୁଦ୍ଧିଜୀବୀ ମହଲ ସମେତ ସାଧାରଣ ଲୋକେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଦୋଷୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ସହ ଶିଶୁଟିର ସୁରକ୍ଷା ଓ ଉଚିତ ପୁନର୍ବାସ ବ୍ୟବସ୍ଥା କରିବାକୁ ଦାବି ଉଠିଛି ।






