ଏ.କେ ବ୍ୟୁରୋ : ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’ । ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । ୨୦୨୪ ନିର୍ବାଚନ ପରେ ବିଜେଡିକୁ ପୁଣିଥରେ ଗ୍ରାଉଣ୍ଡ ଲେଭଲ୍ ରୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।
ଆଜି ଅପରାହ୍ଣ ୫ଟାରେ ‘ଶଙ୍ଖ ଭବନ’ଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି । ନିର୍ବାଚନ ପରେ ହାରିଥିବା ନେତାମାନଙ୍କ ସହ ନବୀନଙ୍କର ଏହା ଦ୍ୱିତୀୟ ବଡ଼ ବୈଠକ । ଯାହା ସୂଚାଉଛି ଯେ ଦଳକୁ ତୃଣମୂଳ ସ୍ତରରୁ ପୁନର୍ଗଠନ କରିବା ପାଇଁ ସେ କେତେ ଗମ୍ଭୀର ଅଛନ୍ତି । ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନୋଭାବ ବୁଝିବା, ସଂଗଠନର ଦୁର୍ବଳତା ଚିହ୍ନଟ କରିବା ଏବଂ ଆଗାମୀ ରଣନୀତି ପ୍ରସ୍ତୁତ କରିବା ଏହି ରୁଦ୍ଧଦ୍ୱାର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ରାଜ୍ୟର ବର୍ତ୍ତମାନର ବିଜେପି ସରକାରକୁ ଘେରିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ପାଇଁ ବିଜେଡି ଏହି ପ୍ରମୁଖ ବିନ୍ଦୁଗୁଡ଼ିକ ଉପରେ ଆଲୋଚନା କରିପାରେ । ରାଜ୍ୟରେ ବଢ଼ୁଥିବା ଅପରାଧ ଏବଂ ବିଶେଷ କରି ମହିଳାମାନଙ୍କ ସୁରକ୍ଷାକୁ ନେଇ ସରକାରଙ୍କ ବିଫଳତା । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢ଼ୁଥିବାରୁ ସାଧାରଣ ଜନତାଙ୍କ ଅସନ୍ତୋଷ । ଭୋଟର ତାଲିକା ପ୍ରସ୍ତୁତିରେ ହେଉଥିବା ଅନିୟମିତତା ଓ ଏହାର ରାଜନୈତିକ ପ୍ରଭାବ । ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ହେଉଥିବା ବିଳମ୍ବ ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ଉପରେ ଆଲୋଚନା ହେବ। ଦଳର ପ୍ରକୃତ ଶକ୍ତି ପରୀକ୍ଷା ହେବାକୁ ଥିବା ଆଗାମୀ ସ୍ଥାନୀୟ ନିର୍ବାଚନ ପାଇଁ ବୁଥ୍ ଏବଂ ବ୍ଲକ୍ ସ୍ତରରେ କ୍ୟାଡରଙ୍କୁ ସକ୍ରିୟ କରିବା ।
୨୪ ବର୍ଷର ଶାସନ ପରେ ୨୦୨୪ରେ କ୍ଷମତାଚ୍ୟୁତ ହୋଇଥିବା ବିଜେଡି ଏବେ ଏକ ଆତ୍ମସମୀକ୍ଷା ଓ ସଂସ୍କାର ମଧ୍ୟ ଦେଇ ଗତି କରୁଛି । ନିଜ ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ଥିବା ପରାଜିତ ପ୍ରାର୍ଥୀମାନଙ୍କ ଠାରୁ ନବୀନ ସିଧାସଳଖ ଫିଡ୍ ବ୍ୟାକ୍ ନେଇ, ପରାଜୟର ପ୍ରକୃତ କାରଣ ଏବଂ ପ୍ରଚାର ସମୟର ତ୍ରୁଟି ବିଷୟରେ ଜାଣିବାକୁ ଚାହୁଁଛନ୍ତି । ନିରାଶ ହୋଇ ପଡ଼ିଥିବା ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ନୂଆ ଜୋସ୍ ଭରିବାକୁ ଚେଷ୍ଟା କରୁଛନ୍ତି । ଆଗାମୀ ଦିନ ପାଇଁ ତୃଣମୂଳ ସ୍ତରରୁ ନୂଆ ନେତୃତ୍ୱ ଚିହ୍ନଟ କରିବା ସହ ବିଜେଡିର ପତିଆରା ଫେରାଇ ଆଣିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ, ନବୀନ ପଟ୍ଟନାୟକଙ୍କ ଏଭଳି ସକ୍ରିୟତା ଦର୍ଶାଉଛି ଯେ ସେ ନିଜେ ସଂଗଠନର ସମସ୍ତ ଦାୟିତ୍ୱ ହାତକୁ ନେଇଛନ୍ତି। ଏହି ବୈଠକରୁ ମିଳିବାକୁ ଥିବା ତଥ୍ୟ ଆଗାମୀ ଦିନରେ ବିଜେଡିର ରାଜନୈତିକ ଗତିପଥ ଓ ଆନ୍ଦୋଳନର ରୂପରେଖ ସ୍ଥିର କରିବ।.






