ଏ.କେ ବ୍ୟୁରୋ : ସୁସ୍ଥ ଜୀବନ ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଏବଂ ପ୍ରାକୃତିକ ଜିନିଷର ବ୍ୟବହାର ବହୁତ ଗୁରୁତ୍ୱପୂର୍ଣ୍ଣ । ମେଥି ଏକ ପୌଷ୍ଟିକ ମସଲା । ଯାହାରେ ଫାଇବର, ଆଇରନ, ପ୍ରୋଟିନ, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର । ଏହାକୁ ଆୟୁର୍ବେଦିକ ଔଷଧ ଭାବେ ମଧ୍ୟ ବିବେଚନା କରାଯାଏ । ତେଣୁ ଏହାକୁ ଖାଲିପେଟରେ ସକାଳୁ ଖାଇବା ଦ୍ବାରା ଅନେକ ଲାଭ ପ୍ରଦାନ କରିଥାଏ

ରାତିରେ ମେଥି ଦାନାକୁ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଚୋବାଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହା ହଜମ ପ୍ରକ୍ରିୟାକୁ ଉନ୍ନତ କରିବା, ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ଏବଂ କୋଲେଷ୍ଟ୍ରୋଲ କମାଇବା ଭଳି ସମସ୍ୟାର ସମାଧାନ କରିବାରେ ସହାୟକ କରିଥାଏ । ଏହି ସବୁ ପୋଷକ ତତ୍ତ୍ବ ପାଇଁ ଏହାକୁ ସ୍ବାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ । ଏହା ବ୍ୟତୀତ ଅନେକ ସମସ୍ୟା ଦୂର କରିବା ପାଇଁ ମଧ୍ୟ ମେଥି ପ୍ରଭାବଶାଳୀ । ତେବେ ସକାଳୁ ଖାଲିପେଟରେ ଭିଜା ହୋଇଥିବା ମେଥି ଖାଇବାର ଲାଭ ସମ୍ପର୍କରେ ଆସନ୍ତୁ ଜାଣିବା ।
ଡାଇବେଟିସକୁ ନିୟନ୍ତ୍ରଣ କରେ : ଡାଇବେଟିସ୍ ରୋଗୀଙ୍କ ପାଇଁ ଭିଜା ହୋଇ ରହିଥିବା ମେଥି ଖାଇବା ବରଦାନ ସଦୃଶ ହୋଇଥାଏ । ମେଥିରେ ଥିବା ଫାଇବର, କାବ୍ରୋହାଇଡ୍ରେଟ୍ ଏବଂ ଗ୍ଲୁକୋଜର ଅବଶୋଷଣ ପ୍ରକ୍ରିୟାକୁ କମ୍ କରିଦେଇଥାଏ । ଯାହା ଦ୍ବାରା ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରି ରଖାଯାଇପାରିବ । ଏଥିସହ ଇନସୁଲିନ୍ କ୍ଷରଣକୁ ମଧ୍ୟ ଉନ୍ନତ କରିଥାଏ । ଯାହା ଟାଇପ୍ 2 ମଧୁମେହ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ପାଚନ ତନ୍ତ୍ର ଓ କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ : ଆଜିକାଲିର ଖରାପ ଲାଇଫଷ୍ଟାଇଲ ପାଇଁ ଗ୍ୟାସ୍, ଏସିଡିଟି ଏବଂ କବ୍ଜ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ଭିଜା ହୋଇ ରହିଥିବା ମେଥିରେ ଫାଇବରର ଗୁଣ ଭରପୁର ମାତ୍ରାରେ ଥାଏ । ଯାହା ଅନ୍ତନଳୀକୁ ସଫା ରଖିଥାଏ । ସକାଳୁ ଖାଲି ପେଟରେ ଏହି ଭିଜା ହୋଇ ରହିଥିବା ମେଥି ଦାନାକୁ ଚୋବାଇ ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ଉନ୍ନତ ହେବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ଖରାପ କୋଲେଷ୍ଟ୍ରୋଲକୁ କମ୍ କରେ : ମେଥି ଦାନାରୁ ଫ୍ଲାଭୋନଏଡ୍ ପ୍ରଚୁର ପରିମାଣର ମିଳିଥାଏ । ଯାହା ଶରୀରର ଖରାପ କୋଲେଷ୍ଟ୍ରୋଲ ଏବଂ ଟ୍ରାଇଗ୍ଲାଇସରାଇଡ୍ ପରିମାଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରି ଭଲ କୋଲେଷ୍ଟ୍ରଲ୍ ବୃଦ୍ଧି କରେ ।
ହାର୍ଟ ପାଇଁ ଲାଭକାରୀ : ଯେତେବେଳେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ରହିଥାଏ ସେତେବେଳେ ଧମନୀରେ ବ୍ଲକେଜ ହେବାର ଆଶଙ୍କାକୁ କମ୍ କରିଥାଏ । ଯାହା ଦ୍ବାରା ହାର୍ଟ ଷ୍ଟ୍ରୋକ୍ ଭଳି ବିପଦରୁ ରକ୍ଷା କରିଥାଏ । ଏଥିପାଇଁ ମେଥିଦାନାକୁ ଏହି ସମସ୍ୟା ପାଇଁ ଉତ୍ତମ ବିକଳ୍ପ ଭାବେ ବିବେଚନା କରାଯାଏ ।
ଓଜନ କମ୍ କରେ : ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ମେଥି ଦାନା ସକାଳୁ ଖାଲି ପେଟରେ ଖାଆନ୍ତୁ । ଯାହା ଆପଣଙ୍କର ଓଜନ ନିୟନ୍ତ୍ରଣର ଯାତ୍ରାକୁ ସହଜ କରିବାରେ ସାହାଯ୍ୟ କରିବ । ସକାଳେ ଏହାକୁ ଚୋବାଇ ଖାଇବା ଦ୍ୱାରା ଏହା ଆପଣଙ୍କ ମେଟାବୋଲିଜିମକୁ ବୃଦ୍ଧି କରି ଆପଣଙ୍କ ଶରୀରର ଚର୍ବି ହ୍ରାସ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
ଯଦି ଆପଣମାନଙ୍କର ଏହିସବୁ ସମସ୍ୟା ଦେଖାଦେଉଛି ତେବେ ସକାଳେ ଖାଲି ପେଟରେ ଭିଜା ମେଥି ଚୋବାଇ ଖାଇବାର ଅଭ୍ୟାସ କରନ୍ତୁ । ଯାହା ଆପଣଙ୍କ ପାଇଁ ଖୁବ୍ ସ୍ୱାସ୍ଥ୍ୟକର ବୋଲି ପ୍ରମାଣିତ ହୋଇପାରେ । ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି ଏବଂ କୌଣସି ଔଷଧ ଖାଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେଇ ମେଥି ଦାନା ଖାଇବା ଉଚିତ୍ ।






