ଭୁବନେଶ୍ୱର,ଏ.କେ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଶନିବାର ବିଳମ୍ବିତ ରାତ୍ରିରେ ପୁଲିସ ଏସପିସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୦ ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି। ମୋଟ ୧୪ଜଣ ଆଇପିଏସ୍ ଓ ୪ଜଣ ବରିଷ୍ଠ ଓପିଏସ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି। ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା, ଗଜପତି, ବୌଦ୍ଧ, ନବରଙ୍ଗପୁର, କନ୍ଧମାଳ, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ଅବସ୍ଥାପିତ କରାଯାଇଛି।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଏସପି ମଡକର ସନ୍ଦୀପ ସମ୍ପତଙ୍କୁ ପଦୋନ୍ନତି ସହ କଟକ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ ଏସପି ପରମାରସ୍ମିତ ପରଷୋତ୍ତ୍ମଦାସଙ୍କୁ ନୟାଗଡ଼ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ସ୍ପେଶାଲ ବ୍ରାଞ୍ଚ ଏସପି ରାଜ ପ୍ରସାଦଙ୍କୁ ରାୟଗଡ଼ା ଏସପି, ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସପି, କନ୍ଧମାଳ ଏସପି ହରିଶ ବିସିଙ୍କୁ ଗଞ୍ଜାମ ଏସପି, ଭଦ୍ରକ ଅତିରିକ୍ତ ଏସପି କଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସପି, ରାଜ୍ୟପାଳଙ୍କ ଏଡିସି କୁଲଦୀପ ମୀନାଙ୍କୁ ବୌଦ୍ଧ ଏସପି, ରାୟଗଡ଼ା ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସପି ଓ ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସପି ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ୪ ଜଣ ଓପିଏସ୍ ଅଧିକାରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ବରଗଡ଼ ଏସପି, ଓପିଏସ୍ କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସପି, ଓପିଏସ୍ କୃଷ୍ଣ ପ୍ରସାଦ ଦାସଙ୍କୁ ରାଉରକେଲା ରେଳବାଇ ପୁଲିସ ଏସପି ଓ ଓପିଏସ୍ କୃଷ୍ଣପ୍ରସାସ ପଟ୍ଟନାୟକଙ୍କୁ ସିଗନାଲ ଏସପି ଭାବେ ବଦଳି କରାଯାଇଛି।
ସେହିପରି ଖୋର୍ଦ୍ଧା ଏସପି ଆଇପିଏସ୍ ବିବେକାନନ୍ଦ ଶର୍ମାଙ୍କୁ କଟକ କ୍ରାଇମବ୍ରାଂଚ ଏସପି, ରାୟଗଡ଼ା ଏସପି ସ୍ୱାତୀ ଏସ. କୁମାରଙ୍କୁ ଭୁବନେଶ୍ୱର ଏସଟିଏଫ ଏସପି, ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କୁ ଭିଜିଲାନ୍ସ ଏସପି ଓ ବୌଦ୍ଧ ଏସପି ରାହୁଲ ଗୋୟଲଙ୍କୁ ସ୍ପେଶାଲ ବ୍ରାଂଚ ଏସପି ଓ ଆଇପିଏସ୍ ଅନନ୍ୟା ଅଶ୍ୱ୍ୱସ୍ତିଙ୍କୁ ରାଜ୍ୟପାଳଙ୍କ ନୂଆ ଏଡିସି ଭାବେ ବଦଳି କରାଯାଇଛି।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଓ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ଜିଲ୍ଲା ପୁଲିସ ଏସପିସ୍ତରରେ ବଦଳି ସହାୟକ ହେବ ବୋଲି ପାୱାର କରିଡରରେ ଚର୍ଚ୍ଚା ।






