ଏ . କେ ବ୍ୟୁରୋ : ୩୮ ମାସରେ ପ୍ରସ୍ତୁତ ହେଲା ବିଶ୍ୱର ସବୁଠାରୁ ବଡ଼ ରେଳ ଷ୍ଟେସନଚୀନର ଚୋଙ୍ଗକିଙ୍ଗ୍ ଇଷ୍ଟ ଷ୍ଟେସନର ଭିଡିଓ ସେୟାର କଲେ ଏଲନ୍ ମସ୍କ । ଟେକ୍ନୋଲୋଜି ଦେଖି ଚକିତ ହେଲା ସମଗ୍ର ବିଶ୍ୱ । ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତଥା ଟେକ୍ନୋଲୋଜି ଜଗତର ମହାନାୟକ ଏଲନ ମସ୍କ ନିକଟରେ ଚୀନ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ” ରେ ଚୀନରେ ନିର୍ମିତ ବିଶ୍ୱର ସବୁଠାରୁ ବଡ଼ ରେଳ ଷ୍ଟେସନ ”ଚୋଙ୍ଗକିଙ୍ଗ୍ ଇଷ୍ଟ ରେଲୱେ ଷ୍ଟେସନ”ର ଏକ ଭିଡିଓ ସେୟାର କରିଛନ୍ତି।
ସାଧାରଣ ପରିବହନ ବ୍ୟବସ୍ଥା ପ୍ରତି ସର୍ବଦା ସନ୍ଦେହ ପ୍ରକାଶ କରୁଥିବା ମସ୍କ ଭିଡିଓଟିକୁ ସେୟାର କରିବା ପରେ ସମଗ୍ର ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଷ୍ଟେସନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଯେଉଁ ବୃହତ୍ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନ୍ୟ ଦେଶଗୁଡ଼ିକୁ ଦଶନ୍ଧି ଦଶନ୍ଧି ସମୟ ଲାଗିଯାଏ, ଚୀନ ମାତ୍ର ୩୮ ମାସ ମଧ୍ୟରେ ଏହି ବିଶାଳ ୧.୨୨ ମିଲିୟନ ବର୍ଗ ମିଟର ବିଶିଷ୍ଟ ଷ୍ଟେସନକୁ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରି ଦେଖାଇଛି। ଚୀନର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପଛରେ ରହିଛି ଚୀନର ଏକ ବିଶାଳ ”ରୋବଟ୍ ସେନା”। ଚୀନର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ଚୋଙ୍ଗକିଙ୍ଗ୍ ସହର ହେଉଛି ଜନସଂଖ୍ୟା ଓ ପ୍ରଶାସନିକ କ୍ଷେତ୍ର ଅନୁଯାୟୀ ଦେଶର ସବୁଠାରୁ ବଡ଼ ମେଗାସିଟି। ୧୯୬୦ ଦଶକରେ ମାଓ ଜେଡୋଙ୍ଗଙ୍କ ”ଥାର୍ଡ ଫ୍ରଣ୍ଟ କ୍ୟାମ୍ପେନ” ଜରିଆରେ ଏହି ଅଞ୍ଚଳର ଶିଳ୍ପାୟନର ମୂଳଦୁଆ ପଡ଼ିଥିଲା। ଆଜି ୪୪୦ ବିଲିୟନ ଡଲାରରୁ ଅଧିକ ଜିଡିପି ସହ ଏହା ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି କେନ୍ଦ୍ର ପାଲଟିଛି, ଯେଉଁଠାରେ ମେଟ୍ରୋ ଟ୍ରେନ୍ ଆପାର୍ଟମେଣ୍ଟ ବିଲ୍ଡିଂ ଭିତର ଦେଇ ଗତି କରିଥାଏ। ଏହି ସହରର ବର୍ଦ୍ଧିତ ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମିତ ଚୋଙ୍ଗକିଙ୍ଗ୍ ଇଷ୍ଟ ଷ୍ଟେସନରେ ୧୫ଟି ପ୍ଲାଟଫର୍ମ ଓ ୨୯ଟି ଟ୍ରାକ୍ ରହିଛି ଏବଂ ଏହା ୮ ମହଲା ବିଶିଷ୍ଟ ଏକ ମଲ୍ଟି-ମୋଡାଲ୍ ହବ୍, ଯାହା ହାଇ-ସ୍ପିଡ୍ ରେଲ୍, ମୋନୋରେଲ୍ ଓ ବସକୁ ଏକତ୍ର ସଂଯୋଗ କରେ। ୪୦ ଡିଗ୍ରୀରୁ ଅଧିକ ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏହି ପାହାଡ଼ିଆ ଅଞ୍ଚଳରେ ମାନବ ଶ୍ରମ ବଦଳରେ କୃତ୍ରିମ ବୁଦ୍ଧିମତା ବା ‘ଏଆଇ’ ଓ ୫ଜି ଜ୍ଞାନକୌଶଳରେ ସଜ୍ଜିତ ଲେଜର-ଗାଇଡେଡ୍ ରୋବଟ୍ ଗୁଡ଼ିକ ମଣିଷ ତୁଳନାରେ ତିନି ଗୁଣ ଅଧିକ ବେଗରେ କଂକ୍ରିଟ୍ ସମତୁଲ କରିଥିଲେ । ସେହିପରି ୮୦୦ କିଲୋଗ୍ରାମର ଓଜନିଆ କାଚ ପ୍ୟାନେଲ୍ ଗୁଡ଼ିକୁ ସୁରକ୍ଷିତ ଭାବେ ଲଗାଇବା ପାଇଁ ଗ୍ଲାସ୍ ଇନଷ୍ଟଲେସନ ରୋବଟ୍ ଓ ୨୪ ଘଣ୍ଟା ଜଗୁଆଳି ରୋବଟ୍ ବ୍ୟବହାର କରାଯାଇଥିଲା। ଏହି ରୋବୋଟିକ୍ ବିପ୍ଳବ ଯୋଗୁଁ ନିର୍ମାଣ ସମୟରେ ଶ୍ରମିକ ଖର୍ଚ୍ଚ ଅଧା ହୋଇଯିବା ସହ କାର୍ଯ୍ୟ ଦକ୍ଷତା ତିନି ଗୁଣ ବୃଦ୍ଧି ପାଇଥିଲା ଏବଂ ଦୁର୍ଘଟଣା ଆଶଙ୍କା ୯୦ ପ୍ରତିଶତ ହ୍ରାସ ପାଇଥିଲା। ବର୍ତ୍ତମାନ ଏହି ଷ୍ଟେସନ ଜରିଆରେ ଚୋଙ୍ଗକିଙ୍ଗ୍ ସହର ଦେଶର ୧୪ଟି ପ୍ରମୁଖ ସହର ସହ ସଂଯୁକ୍ତ ହୋଇଛି, ଯେଉଁଠାରୁ ବେଜିଂ ବା ସାଂଘାଇ ମାତ୍ର ୬ ଘଣ୍ଟାରେ ପହଞ୍ଚି ହେଉଛି। ଚୀନର ଏହି ଅସାଧାରଣ ଇଞ୍ଜିନିୟରିଂ ଦକ୍ଷତା ଓ ଶିଳ୍ପ ସମ୍ରାଜ୍ୟର ପ୍ରଦର୍ଶନ ହିଁ ବୋଧହୁଏ ଟେକ୍ ମହାରଥୀ ଏଲନ୍ ମସ୍କଙ୍କୁ ଏହାର ଭିଡିଓ ସେୟାର କରିବାକୁ ବାଧ୍ୟ କରିଛି।






