ଏ.କେ ବ୍ୟୁରୋ :: ରାତି ପାହିଲେ ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ ଓ କଲ୍ୟାଣ କାମନା କରି ଓଡ଼ିଶାର ସଧବା ନାରୀ ପାଳନ କରିବେ ଏହି ବ୍ରତ। ଏହି ଅବସରରେ ନୂଆ ଶାଢ଼ି, ଶଙ୍ଖା ଓ ଶୃଙ୍ଗାର ସାମଗ୍ରୀ ପରିଧାନ କରି ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି। ରାତି ପାହିଲେ ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ ଓ କଲ୍ୟାଣ କାମନା କରି ଓଡ଼ିଶାର ସଧବା ନାରୀ ପାଳନ କରିବେ ଏହି ବ୍ରତ। ଏହି ଅବସରରେ ନୂଆ ଶାଢ଼ି, ଶଙ୍ଖା ଓ ଶୃଙ୍ଗାର ସାମଗ୍ରୀ ପରିଧାନ କରି ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି।

ପର୍ବ ପାଇଁ ଏବେ ସପିଙ୍ଗ ମଲ୍ରୁ ଆରମ୍ଭ କରି ଶାଢ଼ି, ଗହଣା, ଷ୍ଟେସନାରି ଏବଂ ଫଳ ଦୋକାନ ପର୍ୟ୍ୟନ୍ତ ସବୁଠି ଚଳଚଞ୍ଚଳ ପରିବେଶ। ରେଶମ ସହର ବ୍ରହ୍ମପୁରରେ ବି ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ପୂଜାକୁ ଆଖି ଆଗରେ ରଖି ପ୍ରତି ଛକରେ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ଏହି ଉତ୍ସବର ଆନନ୍ଦ ଭିତରେ ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି ବର୍ଦ୍ଧିତ ମୂଲ୍ୟ। ସାବିତ୍ରୀ ପାଇଁ ଫଳର ଦର ଆକାଶଛୁଆଁ ହୋଇଛି, ଯାହା ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ମହଙ୍ଗା ମାଡ଼ ସାଧାରଣ ମଧ୍ୟବିତ୍ତ ପରିବାର ପାଇଁ ବଡ଼ ବୋଝ ସଦୃଶ ହୋଇଛି। ‘ସାବିତ୍ରୀ ଭାର’ ପଠାଇବାର ସ୍ୱତନ୍ତ୍ର ପରମ୍ପରା ରହିଛି। ଏହି ପରମ୍ପରା ରକ୍ଷା କରିବା ପାଇଁ ଝିଅ ଘରକୁ ଭାର ନେଇ ଯିବାକୁ ଲୋକେ ବାଧ୍ୟ ହୋଇ ଫଳ ଦୋକାନରେ ପ୍ରବଳ ଭିଡ଼ ଜମାଉଛନ୍ତି ଏବଂ ଚଢ଼ା ଦରରେ ଜିନିଷ କିଣୁଛନ୍ତି। ପକେଟକୁ ବାଧୁଥିଲେ ମଧ୍ୟ, ସାମାଜିକ ରୀତିନୀତି ଏବଂ ସ୍ନେହର ସମ୍ପର୍କ ଆଗରେ ଗ୍ରାହକ ଅସହାୟ ହୋଇ ଏହି ବର୍ଦ୍ଧିତ ମୂଲ୍ୟକୁ ସ୍ୱୀକାର କରିବାକୁ ବାଧ୍ୟ ହେଉଛନ୍ତି। ବ୍ରହ୍ମପୁରର ଗୋସାଇଁ ନୂଆଗାଁ, ବିଜିପୁର, ଗିରି ମାର୍କେଟ, ଏସ୍ବିଆର ମହିଳା କଲେଜ ସମ୍ମୁଖ ରାସ୍ତା, କମାପଲ୍ଲୀ, ହରିଡ଼ାଖଣ୍ଡି ଏବଂ ଇଂଜିନିୟରିଂ ସ୍କୁଲ ଛକ ଆଦି ପ୍ରମୁଖ ରାସ୍ତାକଡ଼ରେ ଭଳିକି ଭଳି ଫଳର ପସରା ଦେଖବାକୁ ମିଳିଛି।






