ବୌଦ୍ଧ,16ମଇ2026: ବୌଦ୍ଧ ଜିଲ୍ଲାରେ ଗତ 4 ଦିନ ହେଲା ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଛି। ମନମୁଣ୍ଡା, କଣ୍ଟାମାଳ,ପଲସାଗୋରା ଓ ବାଉଁଶୁଣି ଅଞ୍ଚଳରେ ଥିବା ଅଧିକାଂଶ ପେଟ୍ରୋଲ ପମ୍ପରେ ‘ତେଲ ନାହିଁ’ ବୋର୍ଡ ଝୁଲୁଛି। ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗାଡି ଚାଳକ, ଚାଷୀ ଓ ବ୍ୟବସାୟୀ ସମସ୍ତେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବାଉଁଶୁଣି ସ୍ଥିତ Jio ପମ୍ପ ଆଗରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।
ପମ୍ପର ପ୍ରବେଶ ପଥ ଦଉଡି ବାନ୍ଧି ବନ୍ଦ କରାଯାଇଥିବା ବେଳେ ଦୁଇ ଚକିଆ ଯାନ ଧରି ବହୁ ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ପଚାରିବାରୁ ଜଣାପଡିଲା ଯେ ଗତକାଲି ଠାରୁ ପମ୍ପରେ ପେଟ୍ରୋଲ-ଡିଜେଲ ଆସୁନାହିଁ। କେବଳ ପମ୍ପ ନୁହେଁ, ଖୁଚୁରା ବଜାରରେ ବୋତଲରେ ବିକ୍ରି ହେଉଥିବା ପେଟ୍ରୋଲ ବି ମିଳୁନାହିଁ। କଣ୍ଟାମାଳ ଅଞ୍ଚଳର ଜଣେ ବାଇକ୍ ଚାଳକ ରମେଶ ମେହେର କହନ୍ତି, “ଜରୁରୀ କାମରେ ବୌଦ୍ଧ ଯିବାକୁ ଅଛି, ହେଲେ 10 ଟି ଦୋକାନ ବୁଲିଲିଣି, କେଉଁଠି ବି ତେଲ ନାହିଁ।
ଚାଷ କାମ ବି ବନ୍ଦ ହେବା ଉପରେ। ହଠାତ୍ ତେଲ ଅଭାବର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ପମ୍ପ ମାଲିକମାନେ କହୁଛନ୍ତି ଯେ ଡିପୋରୁ ସପ୍ଲାଏ ଆସୁନାହିଁ। ଅନ୍ୟପକ୍ଷରେ ଯୋଗାଣ ବିଭାଗର କୌଣସି ଅଧିକାରୀ ଏ ବିଷୟରେ ମୁହଁ ଖୋଲୁନାହାନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତେଲ ଅଭାବ ଯୋଗୁଁ ବସ୍ ଚଳାଚଳ କମିଯାଇଛି। ଅଟୋ ଭଡା ଦୁଇ ଗୁଣା ହେଲାଣି। ଆମ୍ବୁଲାନ୍ସ ଓ ସ୍କୁଲ ଗାଡି ବି ପ୍ରଭାବିତ ହେଉଛି। ଚାଷୀମାନେ ପାୱାର ଟିଲର ଓ ପମ୍ପସେଟ୍ ଚଳାଇ ପାରୁନାହାନ୍ତି।
ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି। ତୁରନ୍ତ ତେଲ ଯୋଗାଣ ସ୍ୱାଭାବିକ ନହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।
କଣ୍ଟାମାଳରୁ ରାଜା ମହାକୁଡ ଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






