ଏ.କେ ବ୍ୟୁରୋ : ଆମେରିକା ଏବଂ ଇରାନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବ୍ୟାପକ ଚୁକ୍ତିର ନିକଟତର ହୋଇଛନ୍ତି। ଶନିବାର ଏହି ସୂଚନା ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ବ୍ୟାପକ ଚୁକ୍ତିନାମା ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି। ଟ୍ରମ୍ପ କହିଛନ୍ତି ଏହି ଚୁକ୍ତିନାମାରେ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଚୁକ୍ତିନାମା ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ଆମେରିକା, ଇରାନ ଏବଂ ଅନ୍ୟାନ୍ୟ ଅନେକ ଦେଶ ମଧ୍ୟରେ ଚୂଡ଼ାନ୍ତ ହେବା ବାକି ଅଛି।
କତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ପାକିସ୍ତାନ, ଜୋର୍ଡାନ, ମିଶର, ତୁର୍କୀ ଏବଂ ବାହାରିନର ନେତା ଏବଂ ଅଧିକାରୀଙ୍କ ସହିତ ଫୋନ୍ରେ କଥାବାର୍ତ୍ତା କରିବା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ସେ ଫୋନ୍ରେ ପୃଥକ ଭାବରେ କଥାବାର୍ତ୍ତା ହୋଇଛନ୍ତି। ଚୂଡ଼ାନ୍ତ ହେଉଥିବା ବୁଝାମଣାପତ୍ରର ଡ୍ରାଫ୍ଟ କାର୍ଯ୍ୟକାରୀ ହେଲେ, ଇରାନ ସହିତ ଶତ୍ରୁତା ସମାପ୍ତ ହେବ, ଧୀରେ ଧୀରେ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲାଯିବ ଏବଂ ଇରାନ ବନ୍ଦରଗୁଡ଼ିକ ଉପରୁ ଆମେରିକା ନୌସେନା ଅବରୋଧ ଉଠିବ।

ତେବେ,ଇରାନର ସରକାରୀ ଗଣମାଧ୍ୟମ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଟ୍ରମ୍ପଙ୍କ ବିବୃତିକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛି। ଫାର୍ସ ନ୍ୟୁଜ୍ ଏହି ବିବୃତି ସହିତ ଅସହମତ ହୋଇ କହିଛି ଯେ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ପ୍ରସ୍ତାବର ସଦ୍ୟତମ ଡ୍ରାଫ୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ଇରାନ ନିୟନ୍ତ୍ରଣରେ ରହିବ। ଫାର୍ସ ନ୍ୟୁଜ୍ କହିଛି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ବିଷୟରେ ଟ୍ରମ୍ପଙ୍କ ଦାବି ସତ୍ୟ ନୁହେଁ। ଏହା ବାସ୍ତବ ସ୍ଥିତି ସହିତ ସାମଞ୍ଜସ୍ୟ ରଖୁନାହିଁ ।
ଯଦିଓ ଇରାନ ଯୁଦ୍ଧ ପୂର୍ବ ସ୍ତରକୁ ଜାହାଜ ସଂଖ୍ୟା ଫେରାଇ ଆଣିବାକୁ ଅନୁମୋଦନ କରିଛି, ଏହାର ଅର୍ଥ ଏହା ନୁହେଁ ଯେ ଯୁଦ୍ଧ ପୂର୍ବ ପରି ସ୍ଥିତି ସ୍ବାଭାବିକ ରହିବ। ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଇରାନ ଗସ୍ତ ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ମୁନିରଙ୍କ ଗସ୍ତ ଶନିବାର ଶେଷ ହୋଇଛି। ପାକିସ୍ତାନୀ ସେନାର ଗଣମାଧ୍ୟମ ଶାଖା ମୁନିରଙ୍କ ଗସ୍ତକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରିଛି। ବିବୃତିରେ କୁହାଯାଇଛି ଯେ, ଏହି ଗସ୍ତ ଏକ ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ଦିଗରେ ଉତ୍ସାହଜନକ ପ୍ରଗତି କରିଛି।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






