ଏ.କେ ବ୍ୟୁରୋ : ସରକାର ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି, ଯାହାକୁ ଆମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଗ୍ୟାସ ସରିଯିବା ଗୁଜବ ଯୋଗୁଁ ଲୋକେ ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ସିଲିଣ୍ଡର ବୁକିଂ କରିବା ଆରମ୍ଭ କରିଦେଇଥିଲେ। ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ହୋର୍ମୁଜ୍ ଷ୍ଟ୍ରେଟ୍ ବ୍ଲକ ହୋଇଯାଇଛି। ଯାହାର ସିଧାସଳଖ ପ୍ରଭାବ ଏବେ ଆମ ରୋଷେଇ ଘର ଉପରେ ପଡ଼ିବାକୁ ଯାଉଛି।
ଦେଶରେ କୁକିଂ ଗ୍ୟାସର ଅଭାବ ଦେଖାଦେଇଛି ଏବଂ କମର୍ସିଆଲ୍ ସିଲିଣ୍ଡର ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଘରୋଇ ଗ୍ୟାସ ସଙ୍କଟ ଯେପରି ଅଧିକ ଗମ୍ଭୀର ନହୁଏ ଏବଂ ଗ୍ୟାସ ସିଲିଣ୍ଡରର କଳାବଜାରୀ କିମ୍ବା ବେଆଇନ ମହଜୁଦ ନହୁଏ, ସେଥିପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦେକ୍ଷେପ ନେଇଛନ୍ତି। ସରକାର ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି, ଯାହାକୁ ଆମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଗ୍ୟାସ ସରିଯିବା ଗୁଜବ ଯୋଗୁଁ ଲୋକେ ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ସିଲିଣ୍ଡର ବୁକିଂ କରିବା ଆରମ୍ଭ କରିଦେଇଥିଲେ। ଏହି ଚାହିଦାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଉପଭୋକ୍ତାମାନଙ୍କୁ ୨ଟି କାଟେଗୋରୀରେ ବିଭକ୍ତ କରି ଏକ ‘ଲକିଂ ପିରିଅଡ୍’ ସିଷ୍ଟମ ଲାଗୁ କରିଛନ୍ତି । ଯଦି ଆପଣ ସହରରେ ରହୁଛନ୍ତି ତେବେ ପ୍ରଥମ ସିଲିଣ୍ଡର ନେବାର ୨୫ ଦିନ ପରେ ହିଁ ଦ୍ୱିତୀୟ ସିଲିଣ୍ଡର ବୁକିଂ କରିପାରିବେ ଏବଂ ଗାଁଗହଳି କିମ୍ବା ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକେ ୪୫ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ବୁକିଂ କରିବାକୁ ସୁଯୋଗ ପାଇବେ। ଏହି ୨୫ ଏବଂ ୪୫ ଦିନର ନିୟମ କେବଳ ଘରୋଇ LPG ସଂଯୋଗ ଉପରେ ଲାଗୁ ହେବ ଯେଉଁଥିରେ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ର କନେକ୍ସନ ମଧ୍ୟ ସାମିଲ ରହିଛି । ଯଦି ଆପଣଙ୍କ ପାଖରେ ଗୋଟିଏ ସିଲିଣ୍ଡର ଅଛି ଏବଂ ତାହା ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଯାଉଛି ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣଙ୍କ ପାଇଁ ୩ଟି ବିକଳ୍ପ ରହିଛି ଆପଣ ଗ୍ୟାସ ଏଜେନ୍ସିକୁ ଯାଇ ଦ୍ୱିତୀୟ ସିଲିଣ୍ଡର ପାଇଁ ଆବେଦନ କରନ୍ତୁ। ଏହାଦ୍ୱାରା ଗୋଟିଏ ସରିଲେ ଆପଣ ଅନ୍ୟଟି ବ୍ୟବହାର କରିପାରିବେ। ଦ୍ବିତୀୟଟି ହେଉଛି ବଜାରରେ ୫ କିଲୋଗ୍ରାମ ବିଶିଷ୍ଟ ‘ଛୋଟ’ ସିଲିଣ୍ଡର ଉପଲବ୍ଧ ଅଛି। କେବଳ ଏକ ପରିଚୟ ପତ୍ର ଦେଖାଇ ଆପଣ ନିକଟସ୍ଥ ଗ୍ୟାସ ଏଜେନ୍ସି କିମ୍ବା ଚୟନ ହୋଇଥିବା ପେଟ୍ରୋଲ ପମ୍ପରୁ ଏହାକୁ କିଣିପାରିବେ। ଆପଣ ଚାହିଲେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମଧ୍ୟ ବ୍ୟବହାର କରିପାରିବେ କାରଣ ଏହି ନୂଆ ନିୟମ କମର୍ସିଆଲ ସିଲିଣ୍ଡର ଉପରେ ଲାଗୁ ହେବ ନାହିଁ। ତେବେ କଳାବଜାରୀ ରୋକିବା ପାଇଁ ସରକାର ଡେଲିଭରି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏବେ ଗ୍ୟାସ ଏଜେନ୍ସି ବିନା ଓଟିପିରେ ସିଲିଣ୍ଡର ଡେଲିଭରି କରିବ ନାହିଁ। ସରକାରଙ୍କ ଦ୍ୱାରା ଜାରି DAC ବା Delivery Authentication Code ଦେବା ପରେ ହିଁ ଆପଣଙ୍କୁ ସିଲିଣ୍ଡର ମିଳିବ। ଏହି କୋଡ୍ଟି ଆପଣଙ୍କ ଗ୍ୟାସ ବୁକିଂ ସମୟରେ ବିଲ୍ ସହିତ ଜାରି କରାଯିବ ଯାହାକୁ ଗ୍ୟାସ୍ ନେବା ସମୟରେ ଡେଲିଭରି ବୟକୁ ଦେଖାଇବା ବାଧ୍ୟତାମୂଳକ। ତେଣୁ ସତର୍କ ରୁହନ୍ତୁ, ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ଏବଂ ସରକାରଙ୍କ ଏହି ନୂଆ ନିୟମକୁ ପାଳନ କରି ଦେଶକୁ ଗ୍ୟାସ ସଙ୍କଟରୁ ରକ୍ଷା କରିବାରେ ସହଯୋଗ କରନ୍ତୁ ।






