ଦେବଗଡ଼, ଏ.କେ ବ୍ୟୁରୋ : ଦେବଗଡ଼ ଜିଲ୍ଲାର ରିଆମାଳ, ତିଲେଇବଣି ଓ ବାରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି ସନ୍ଧ୍ୟାରେ ହୋଇଥିବା ଅଦିନିଆ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ଲୋକଙ୍କ ଜୀବନଜୀବିକାକୁ ଅସ୍ତବ୍ୟସ୍ତ କରିଦେଇଛି। ହଠାତ୍ ଆସିଥିବା ଏହି ପ୍ରକୃତିର ତାଣ୍ଡବରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ବେଳେ ବହୁ ଘରର ଆଜବେଷ୍ଟସ ଓ ଟିନ୍ ଛାଦ ଉଡ଼ିଯାଇଛି। ଫଳରେ ଅନେକ ପରିବାର ଘରହୀନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।
ଝଡ଼ର ପ୍ରଭାବ ଏତେ ଭୟାବହ ଥିଲା ଯେ କେତେକ ସ୍ଥାନରେ ବଡ଼ ବଡ଼ ଗଛ ଉପଡ଼ି ରାସ୍ତା ଉପରେ ପଡ଼ିଥିଲା। ଫଳରେ ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଉପରେ ଅନେକ ଗଛ ପଡ଼ି ରହିଥିବା ବେଳେ ଯାତାୟାତରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛଗୁଡ଼ିକୁ ରାସ୍ତାରୁ ହଟାଇବା କାର୍ଯ୍ୟ ଜୋରଦାର ଭାବେ ଚାଲୁ ରଖିଛି।
ଅନ୍ୟପଟେ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ମଧ୍ୟ ବିଘ୍ନିତ ହୋଇଥିବା ସୂଚନା ମିଳିଛି। ବର୍ଷା ଓ ପବନର ତୀବ୍ରତାରେ ଘରର ଛାଦ ଉଡ଼ିଯାଇଥିବାରୁ ଛୋଟ ଛୋଟ ଶିଶୁ ଓ ବୃଦ୍ଧମାନେ ବହୁ କଷ୍ଟ ସହିଥିବା ଜଣାପଡ଼ିଛି। ଅନେକ ପରିବାର ନିଜର ଆସବାବପତ୍ର ଓ ଘରୋଇ ସାମଗ୍ରୀ ହରାଇଥିବା ବେଳେ କିଛି ସ୍ଥାନରେ ଖାଦ୍ୟଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ପୀଡ଼ିତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଓ ରିଲିଫ୍ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି।






