ନୂଆଦିଲ୍ଲୀ,ଏ.କେ ବ୍ୟୁରୋ : ଭାରତରେ ଇନ୍ଧନ ମୂଲ୍ୟ ବୃଦ୍ଧିର ଧାରା ଜାରି ରହିଛି। ମଙ୍ଗଳବାର ଦିନ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ପୁଣି ଥରେ ସିଏନ୍ଜିର ମୂଲ୍ୟ ବୃଦ୍ଧି କରିଛି। କମ୍ପାନି ପକ୍ଷରୁ ଗ୍ୟାସ୍ର ମୂଲ୍ୟ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି।
ଗତ ୧୨ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ସିଏନ୍ଜିର ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରଥମେ ମେ’ ୧୫ରେ ସିଏନ୍ଜି ଦର ୨ ଟଙ୍କା ବୃଦ୍ଧି ପାଇଥିଲା। ଏହାପରେ ମେ’ ୧୮ରେ ୧ ଟଙ୍କା, ମେ’ ୨୩ରେ ୧ ଟଙ୍କା ଏବଂ ଆଜି ଅର୍ଥାତ୍ ମେ’ ୨୬ରେ ୨ ଟଙ୍କା ବୃଦ୍ଧି କରାଯାଇଛି। ମୋଟ ଉପରେ, ଗତ ୧୨ ଦିନରେ ମୂଲ୍ୟ ୬ ଟଙ୍କା ବୃଦ୍ଧି ପାଇଛି।
ଆଜିର ସର୍ବଶେଷ ବୃଦ୍ଧି ପରେ, ଦେଶର ରାଜଧାନୀ ଦିଲ୍ଲୀରେ ୧ କିଲୋଗ୍ରାମ ସିଏନ୍ଜିର ମୂଲ୍ୟ ୮୧.୦୯ ଟଙ୍କାରୁ ୮୩.୦୯ ଟଙ୍କାକୁ ବୃଦ୍ଧି ପାଇଛି। ଗାଜିଆବାଦରେ ଶହେ ଟପିଲା ଦର,ଦିଲ୍ଲୀ ସଂଲଗ୍ନ ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ସିଏନ୍ଜି ମୂଲ୍ୟ ଆକାଶଛୁଆଁ ହୋଇଛି। ଗାଜିଆବାଦ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ସିଏନ୍ଜିର ମୂଲ୍ୟ କିଲୋ ପିଛା ଶହେ ଟପି ୧୦୨.୯୦ ଟଙ୍କାରେ ପହଞ୍ଚିଛି।
ସବୁଠାରୁ ଚିନ୍ତାଜନକ କଥା ହେଉଛି ସିଏନ୍ଜି ମୂଲ୍ୟରେ ଏହି କ୍ରମାଗତ ବୃଦ୍ଧି କେବେ ବନ୍ଦ ହେବ ସେ ବିଷୟରେ କୌଣସି ସୂଚନା ନାହିଁ। କେବଳ ଦିଲ୍ଲୀ ନୁହେଁ, ବରଂ ଦିଲ୍ଲୀର ଚାରିପାଖରେ ଥିବା ସମସ୍ତ ପ୍ରମୁଖ ସହର, ଯେପରିକି ଗୁରୁଗ୍ରାମ, ନୋଏଡା, ଗାଜିଆବାଦ ଏବଂ ଫରିଦାବାଦରେ ଲକ୍ଷ ଲକ୍ଷ ସିଏନ୍ଜି ଯାନ ଅଛି। ଦିଲ୍ଲୀ-ଏନ୍ସିଆର୍ରେ ଟ୍ୟାକ୍ସି, କ୍ୟାବ୍ ଏବଂ ଅଟୋ-ରିକ୍ସା ମୁଖ୍ୟତଃ ସିଏନ୍ଜିରେ ଚାଲିଥାଏ।
ଏହା ବ୍ୟତୀତ ଅନେକ ଘରୋଇ ଯାନ ମଧ୍ୟ ସିଏନ୍ଜିଉପରେ ନିର୍ଭର କରିଥାନ୍ତି। ଫଳସ୍ୱରୂପ ସିଏନ୍ଜି ମୂଲ୍ୟରେ ନିରନ୍ତର ବୃଦ୍ଧି କେବଳ ଟ୍ୟାକ୍ସି, କ୍ୟାବ୍ ଏବଂ ଅଟୋ-ରିକ୍ସା ଚାଳକଙ୍କ ରୋଜଗାରକୁ ପ୍ରଭାବିତ କରିବ ନାହିଁ ବରଂ ସେମାନଙ୍କର ଆର୍ଥିକ ବୋଝ ମଧ୍ୟ ବୃଦ୍ଧି କରିବ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






