ଏ.କେ ବ୍ୟୁରୋ : ଚଳିତ ମାସରେ ଡିଜେଲ ଦର ଚାରି ଥର ବଢ଼ିବାର ପ୍ରଭାବ ପରିବହନ କ୍ଷେତ୍ର ଉପରେ ପଡ଼ିବା ଆରମ୍ଭ ହୋଇଛି। ପ୍ରାୟ ୧୯ ଲକ୍ଷ ଟ୍ରକର ଚଳାଚଳ ବନ୍ଦ ହୋଇଯାଉଛି । ଚଳିତ ମାସରେ ଡିଜେଲ ଦର ଚାରି ଥର ବଢ଼ିବାର ପ୍ରଭାବ ପରିବହନ କ୍ଷେତ୍ର ଉପରେ ପଡ଼ିବା ଆରମ୍ଭ ହୋଇଛି। ପ୍ରାୟ ୧୯ ଲକ୍ଷ ଟ୍ରକର ଚଳାଚଳ ବନ୍ଦ ହୋଇଯାଉଛି । ଦେଶରେ ପାଖାପାଖି ୯୫ ଲକ୍ଷ ଟ୍ରକ ରହିଛି ।

ସେଥିରୁ ପ୍ରାୟ ୨୦ ପ୍ରତିଶତ ଟ୍ରକ୍ ଠିଆ ହୋଇରହିଛି । ଡିଜେଲ ଦରବୃଦ୍ଧି ପରେ ପରିବହନକାରୀ ସଂସ୍ଥାଗୁଡ଼ିକ ଭଡ଼ା ମଧ୍ୟ ବଢ଼ାଇଛନ୍ତି। ପଶ୍ଚିମ ଓ ଉତ୍ତର ଭାରତରେ ଟ୍ରକ୍ ଭଡ଼ାରେ ୧୦ରୁ ୧୫ ପ୍ରତିଶତର ବୃଦ୍ଧି ହୋଇଛି । ୩୦ କିମି ପର୍ଯ୍ୟନ୍ତର ଅଳ୍ପ ଦୂରତା ବିଶିଷ୍ଟ ପରିବହନ ଭଡ଼ାରେ ଅଧିକ ବୃଦ୍ଧି ଘଟିଛି। ତାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଆଗାମୀ ଦିନରେ ପନିପରିବା, ରାସନ ସାମଗ୍ରୀ ଓ ଫଳ ସବୁ କିଛି ମହଙ୍ଗା ହେବାକୁ ଯାଉଛି।ଭାରତରେ ଚାଲୁଥିବା ୭୦ ପ୍ରତିଶତ ଟ୍ରକ୍ ଛୋଟ ଅପରେଟରମାନଙ୍କ ପାଖରେ ରହିଛି। ସର୍ବଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସଭାପତି ହରିଶ ସଭରୱାଲଙ୍କ କହିବାନୁସାରେ ଟ୍ରକ ପରିବହନରେ ୪୦-୪୫ ପ୍ରତିଶତ ଖର୍ଚ୍ଚ କେବଳ ଡିଜେଲ କିଣିବାରେ ହୋଇଥାଏ। ଡିଜେଲ ଦରରେ ନିକଟରେ ହୋଇଥିବା ବୃଦ୍ଧିର ଚାପକୁ ଛୋଟ ଅପରେଟରମାନେ ସହିବା ସ୍ଥିତିରେ ନାହାନ୍ତି। ପେଟ୍ରୋଲ ପମ୍ପଗୁଡ଼ିକ ବାକିରେ ତେଲ ଦେବା ବନ୍ଦ କରିଦେଇଛନ୍ତି। ତେଣୁ ନିଜ ଟ୍ରକକୁ ଠିଆ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଦେଶରେ ଡିଜେଲ ଦୁଇ ପ୍ରକାରରେ ବିକ୍ରି ହେଉଛି । ଗୋଟିଏ ହେଉଛି ବଲ୍କ ସେଲ୍ ଯାହାକୁ ଶିଳ୍ପସଂସ୍ଥା ଓ ଅଧିକ ଗାଡ଼ି ରଖିଥିବା ଅପରେଟରମାନେ କିଣିଥାନ୍ତି। ଅନ୍ୟଟି ହେଉଛି ସାଧାରଣ ଡିଜେଲ ଯାହା ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି । ବଲ୍କ ଡିଜେଲ୍ର ଦାମ ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ଡିଜେଲ ତୁଳନାରେ ଲିଟର ପ୍ରତି ୪୦-୪୫ ଟଙ୍କା ଅଧିକ ରହିଛି। ନିକଟରେ ସରକାର ଏହାର ଦାମ୍ ୨୨ ଟଙ୍କା ବଢ଼ାଇଥିଲେ। ତେଣୁ ବଲ୍କ ଡିଜେଲ୍ ଗ୍ରାହକମାନେ ନିଜ ଗାଡ଼ିଗୁଡ଼ିକୁ ସାଧାରଣ ପେଟ୍ରୋଲ ପମ୍ପକୁ ପଠାଉଛନ୍ତି। ଫଳରେ ସେଠାରେ ଭିଡ଼ ହେଉଛି ଓ କିଛି ପେଟ୍ରୋଲ ପମ୍ପରୁ ତେଲ ଶେଷ ହୋଇଯିବା ଭଳି ସ୍ଥିତି ସୃଷ୍ଟି ହେଉଛି। ତେବେ ଦେଶରେ ତେଲ ଅଭାବ ଖବରକୁ ତେଲ କମ୍ପାନିଗୁଡ଼ିକ ଅସ୍ବୀକାର କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସବୁଆଡ଼େ ତେଲ ଯୋଗାଣ ସ୍ବାଭାବିକ ରହିଛି। ପେଟ୍ରୋଲ ବିକ୍ରି ୧୪ ପ୍ରତିଶତ ଓ ଡିଜେଲ ୧୮ ପ୍ରତିଶତ ବଢ଼ିଛି। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଚାଷ ଓ ପର୍ଯ୍ୟଟନ କ୍ଷେତ୍ରରେ ଚାହିଦା କମିବ ଓ ତେଲ ଯୋଗାଣ ସ୍ଥିତିରେ ଆହୁରି ସୁଧାର ଘଟିବ ବୋଲି ସେମାନେ କହିଛନ୍ତି।






