ଏ.କେ ବ୍ୟୁରୋ : ମେ’ ୨୫ରୁ ସାରା ଦେଶରେ ଆରମ୍ଭ ହୋଇଯାଇଛି ‘ନଅତାପ’ ଯାହାକୁ ‘ନୌତପା’ ବୋଲି କୁହାଯାଉଛି । ଆସନ୍ତା ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ପୁରା ୯ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ନିଜର ପ୍ରଚଣ୍ଡ ରୂପ ଦେଖାଇବେ
ବିଶେଷଜ୍ଞଙ୍କ ମତରେ, ଏହି ସମୟରେ ସୂର୍ଯ୍ୟ ପୃଥିବୀର ସବୁଠାରୁ ନିକଟତର ହୋଇଥା’ନ୍ତି, ଯାହାଫଳରେ ପାରଦ ୫୦ ରୁ ୫୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ଏହି ୯ ଦିନ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ସଂକଟଜନକ।
ଅଂଶୁଘାତ, ଲୁ-ପ୍ରବାହ ଏବଂ ଡିହାଇଡ୍ରେସନ୍ ଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଆମକୁ ଆମର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ଆସନ୍ତୁ ଜାଣିବା ଏହି ଦିନଗୁଡ଼ିକରେ କେଉଁ ସବୁ ଖାଦ୍ୟଠାରୁ ଦୂରେଇ ରହିବା ଦେହ ପାଇଁ ଭଲ ।
ଏହି ୯ ଦିନ ଗରମ ମସଲା, ଲଙ୍କା ଗୁଣ୍ଡ, ଶିଙ୍ଗଡ଼ା,ଆଲୁଚପ୍ ଏବଂ ପକୁଡ଼ି ଭଳି ତେଲଛଣା ଖାଦ୍ୟ ଶରୀରର ତାପମାତ୍ରା ବଢ଼ାଇଥାଏ । ଏହାଦ୍ୱାରା ହଜମ ପ୍ରକ୍ରିୟା ବିଗିଡ଼ିବା ସହ ପେଟରେ ଜଳାପୋଡ଼ା ଓ ଏସିଡିଟି ହୋଇଥାଏ। ଏହାଛଡ଼ା ଅଧିକ ଚା’ ବା କଫି ପିଇବା ଦ୍ୱାରା ଏଥିରେ ଥିବା କ୍ୟାଫିନ୍ ଶରୀରରେ ଜଳୀୟ ଅଂଶ କମାଇ ଦିଏ, ଯାହା ଡିହାଇଡ୍ରେସନ୍ର କାରଣ ସାଜେ।
ଖରାରୁ ଆସି ସିଧାସଳଖ ଫ୍ରିଜ୍ରୁ ଥଣ୍ଡା କୋଲ୍ଡ ଡ୍ରିଙ୍କସ୍ ଗଟଗଟ୍ କରି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ପ୍ରଭାବିତ ହୁଏ ଏବଂ ଏଥିରେ ଥିବା ଅଧିକ ଶର୍କରା ଶରୀରକୁ ଅଧିକ ତୃଷାର୍ତ୍ତୁ କରିଥାଏ । ଖରାଦିନେ ବଜାରରେ ବିକ୍ରି ହେଉଥିବା ଆମ୍ବର ପ୍ରକୃତି ଗରମ ହୋଇଥାଏ। ତେଣୁ ଏହି ସମୟରେ ଦିନକୁ ଗୋଟିଏ କିମ୍ବା ୨ଟିରୁ ଅଧିକ ଆମ୍ବ ଖାଇଲେ ପେଟ ଗରମ ହେବା ସହ ପାଟିରେ ଘା’ ହୋଇପାରେ । ଏହାଛଡ଼ା ଲିଚୁ ଓ ପଣସ ମଧ୍ୟ ଏହି ସମୟରେ କମ୍ ଖାଆନ୍ତୁ।

ସବୁଠାରୁ ଅଧିକ ମାରତ୍ମକ ହେଉଛି ବାଇଗଣ । ବାଇଗଣର ପ୍ରକୃତି ଗରମ ହୋଇଥିବାରୁ ଏହି ୯ ଦିନ ଏହାକୁ ନଖାଇବା ଭଲ । ଏହି ସମୟରେ ବାଇଗଣ ଖାଇଲେ ଲିଭର ସମସ୍ୟା ଦେଖାଯିବା ସହ ଷ୍ଟୋନ୍ ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।
ଏହାସହ ରସୁଣ, ଅଦା ଏବଂ କଞ୍ଚାଲଙ୍କାର ବ୍ୟବହାର ତରକାରୀରେ କମ୍ କରନ୍ତୁ । ଡ୍ରାଏ ଫ୍ରୁଟ୍ସ ଓ ରେଡ୍ ମିଟ୍ ମଧ୍ୟ ଏହି ସମୟରେ ଶରୀରର ଗରମ ବଢ଼ାଇଥାଏ। ନଅତାପର ପ୍ରକୋପରୁ ବଞ୍ଚିବା ପାଇଁ ଆପଣଙ୍କୁ ନିଜ ଶରୀରକୁ ସତେଜ ଓ ଶୀତଳ ରଖିବାକୁ ପଡ଼ିବ।
ଏଥିପାଇଁ ପ୍ରକୃତି ଆମକୁ ଅନେକ ସୁନ୍ଦର ଉପହାର ଦେଇଛି । ଯେମିତିକି ପ୍ରଚୁର ପରିମାଣରେ ତରଭୁଜ, ଖରଭୁଜ, କାକୁଡ଼ି, ପୋଟଳ, ଲାଉ ଓ ଜହ୍ନି ଆଦି ସବୁଜ ପନିପରିବା ଖାଆନ୍ତୁ। ଦିନସାରା ପ୍ରଚୁର ପାଣି ପିଇବା ସହ ନଡ଼ିଆ ପାଣି, ଦହି, ଘୋଳଦହି, ଲେମ୍ବୁ ପାଣି, ଆଖୁ ରସ ଏବଂ ବେଲ ପଣା ପିଅନ୍ତୁ ।
ସୂର୍ଯ୍ୟଙ୍କର ଏହି ପ୍ରଚଣ୍ଡ ରୋଷରୁ ନିଜକୁ ରକ୍ଷା କରିବା ପାଇଁ ଆବଶ୍ୟକ ନଥିଲେ ଦ୍ୱିପ୍ରହର ସମୟରେ ଘରୁ ବାହାରନ୍ତୁ ଯାଆନ୍ତୁ ନାହିଁ। ବାହାରକୁ ଗଲେ ମୁଣ୍ଡରେ ଓଦା କପଡ଼ା, ଛତା ଏବଂ ପାଣି ବୋତଲ ସାଥୀରେ ନେବାକୁ ଜମାରୁ ଭୁଲନ୍ତୁ ନାହିଁ। ଆପଣଙ୍କର ସତର୍କତା ହିଁ ଆପଣଙ୍କୁ ସୁସ୍ଥ ରଖିବ। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






