ଏ.କେ ବ୍ୟୁରୋ : ଶିମିଳିପାଳ କାନଛିଣ୍ଡା ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଗଲା ନରହନ୍ତା ଦନ୍ତା । ଅନୁଗୁଳରୁ ଆସିଥିବା ନରହନ୍ତା ଦନ୍ତାକୁ ବିଭିନ୍ନ ବାଦବିବାଦ ପରେ ହାତୀ ଉଦ୍ଧାର କେନ୍ଦ୍ରକୁ ସିଫ୍ଟ କରାଯାଇଛି ।
ପୂର୍ବରୁ ଏହି ନରହନ୍ତା ହାତୀକୁ ନେଇ ଦୀର୍ଘ ସମୟ ହେବ ବାଦ ବିବାଦ ଲାଗି ରହିଥିଲା । ଦନ୍ତାକୁ ସାତକୋଶିଆରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ଗତକାଲି କରଞ୍ଜିଆରେ ଏହି ହାତୀକୁ ଜଙ୍ଗଲରେ ଛାଡ଼ୁଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।
ସମସ୍ତ ବାଦ ବିବାଦର ଅବସାନ ଘଟାଇ ଦନ୍ତାକୁ ଶିମିଳିପାଳର କାନଛିଣ୍ଡା ସ୍ଥିତ ହାତୀ ଉଦ୍ଧାର ଓ ଚିକିତ୍ସା କେନ୍ଦ୍ରକୁ ନିଆଯାଇଛି । ଏହି କେନ୍ଦ୍ରରେ ଦନ୍ତାର ସୁରକ୍ଷା ସହିତ ଆବଶ୍ୟକ ଚିକିତ୍ସା କରାଯିବ । ଦନ୍ତାକୁ ଏବେ ଏକ ଶାନ୍ତ ପରିବେଶରେ ରଖି ତାର ମନସ୍ତାତ୍ତ୍ୱିକ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।
ଗତଦୁଇଦିନ ତଳେ, ୭ ଘଣ୍ଟାର କସରତ ପରେ କାବୁ ହୋଇଥିଲା ନରହନ୍ତା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲା । ଗତ ୨୦ ତାରିଖରେ ଚନ୍ଦନପୁର ଏବଂ ମଧୁପୁରରେ ଦୁଇ ଜଣଙ୍କୁ ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।






