ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅଧୀନସ୍ଥ କ୍ଷେମାଲୋଏ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମାଉଲିମାଲ ଗ୍ରାମରେ ଏକ ଆୟୁଷ୍ମାନ ଆରୋଗ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିବେଦିତା ପଧାନଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା।
ଶିବିରରେ ଡକ୍ଟର ବିଶ୍ୱନାଥ ମେହେର ଉପସ୍ଥିତ ରହି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, ମାତୃ ମୃତ୍ୟୁହାର ହ୍ରାସ, ଉଚ୍ଚ ରକ୍ତଚାପ, ଏଚ୍.ପି.ଭି ଟୀକା,ମଧୁମେହ, ମ୍ୟାଲେରିଆ, ଓଜନ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ବିଭିନ୍ନ ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ। ସେ କିଶୋରୀ ବାଳିକାମାନଙ୍କୁ ସୁଷମ ଖାଦ୍ୟ, ବ୍ୟକ୍ତିଗତ ସ୍ୱଚ୍ଛତା, ଅଂଶୁଘାତ ପ୍ରତିରୋଧ, ଧୂମପାନ ଓ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ। ଶିବିରର ସୁବିଧା ଉଠାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଯୋଗଗୁରୁ ଡକ୍ଟର ହୃଷୀକେଶ ଦେହେରୀ ଯୋଗଦେଇ ଦୈନନ୍ଦିନ ଜୀବନରେ ସୂକ୍ଷ୍ମ ବ୍ୟାୟାମ, ରୋଗ ଅନୁସାରେ ଯୋଗାସନ, ପ୍ରାଣାୟାମ, ଯୋଗନିଦ୍ରା, ପଞ୍ଚତତ୍ତ୍ୱ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ନିୟମିତ ଯୋଗାଭ୍ୟାସ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ସୁସ୍ଥତା ପ୍ରଦାନ କରିଥାଏ। ଏହା ସହିତ ଉପସ୍ଥିତ ଲୋକଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ସୁସ୍ଥ ଖାଦ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ କରାଇଥିଲେ।ଶିବିରରେ ଏ.ଏନ୍.ଏମ୍ ଗୀତା କର୍ମୀ, ଯଶୋଦା ଲାବନିଆ ଓ ଆଶାକର୍ମୀ କଳ୍ପନା ବାରିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଙ୍ଗନୱାଡ଼ି କର୍ମୀ ଅନିତା କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।
ସୁବର୍ଣ୍ଣପୁର ରୁ ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ ଆପଣଙ୍କ ଖବର






