ଏ.କେ ବ୍ୟୁରୋ : ପଥର ଗଦାରୁ ନାଗସାପ ଓ ଅଣ୍ଡା ଉଦ୍ଧାର । ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ଅର୍ଜୁନସିଂହପୁର ଗାଁ ପଥରଗଦାରୁ ୧୪ ନାଗ ସାପ ଓ ୧୬ ଅଣ୍ଡା ଉଦ୍ଧାର ହୋଇଛି । ଗାଁର ନରହରି ବିଶ୍ବାଳଙ୍କ ଘର ବାଡ଼ିରୁ ସାପ ଓ ଅଣ୍ଡା ଉଦ୍ଧାର କରାଯାଇଛି । ୧୦ବର୍ଷ ହେଲା ତାଙ୍କ ବାଡ଼ିରେ ପଥର ଗଦା ହୋଇଥିଲା । ଶ୍ରମିକମାନେ ପଥର କାଢ଼ିବା ବେଳେ ସାପ ଓ ସାପ ଅଣ୍ଡା ଦେଖି ନରହରିଙ୍କୁ ଜଣାଇଥିଲେ । ପରେ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି ।
ଗତକାଲି ସେହି ସ୍ଥାନରୁ ୧୬ ଟି ଅଫୁଟା ଅଣ୍ଡା ଉଦ୍ଧାର କରି ନିଆଯାଇ ଥିବା ବେଳେ କୃତ୍ରିମ ଉପାୟରେ ଅଣ୍ଡା ଫୁଟିବା ପାଇଁ ବ୍ୟବସ୍ଥା କରାଯାଇଛି ଓ ନାଗ ସାପକୁ ଗ୍ରାମ ଦୂରରେ ଛାଡ଼ି ଦିଆଯାଇଛି । ଗତ ବର୍ଷ ମଧ୍ୟ ସମାନ ସ୍ଥାନରେ ସାପ ଅଣ୍ଡା ଦେଇ ୧୪ ଟି ଛୁଆ ଫୁଟିଥିବା ପାଖରେ ଥିବା ପୁରୁଣା ଖୋଳପାରୁ ଜଣା ପଡ଼ିଛି । ଉକ୍ତ ସ୍ଥାନ ଟିକୁ ନାଗ ତାର ସୁରକ୍ଷିତ ସ୍ଥାନ ଭାବେ ବାଛିଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା କହିଛନ୍ତି । ଅନ୍ୟପଟେ ଏହି ସମୟ ରେ ସାପ ଅଣ୍ଡା ଫୁଟିବା ସମୟ ହୋଇ ଥିବାରୁ ନିଜ ବାଡି ବଗିଚାକୁ ସଫା ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ନେକ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।






