ରାୟଗଡା,୧୨/୬(ନରେନ୍ଦ୍ର ନିଶାଲ):ରାୟଗଡା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁବରଣ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା | ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ | ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଭୁବନେଶ୍ୱର ସ୍ଥିତ ଏମସ୍ କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପରେ ଉଚ୍ଚ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ଆଜି ଭୋର ସମୟରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି |
ଏଠାରେ ସୂଚନାଯୋଗ୍ୟ, ରାମମୂର୍ତ୍ତି ଗମାଙ୍ଗ ସ୍ବର୍ଗତ ବିଜୁ ପଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଗଡ଼ ଭାଙ୍ଗି ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳ ଟିକଟରୁ ଗୁଣପୁର ନିର୍ବାଚନମଣ୍ଡଳରୁ ବିଧାୟକ ହୋଇଥିଲେ I କିନ୍ତୁ ୨୦୦୦ ମସିହା ନିର୍ବାଚନରେ ରାମମୂର୍ତ୍ତି ବିଜେପିରେ ଯୋଗଦାନ ଦେଇ ବିଜେଡି – ବିଜେପି ମେଣ୍ଟ ସମୟରେ ବିଜେପିରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ | ରାୟଗଡା ଜିଲ୍ଲା ରାଜନୈତିକ ଇତିହାସରେ ରାମମୂର୍ତ୍ତି ଗମାଙ୍ଗ ପ୍ରଥମ ଓ ଶେଷ ବିଧାୟକ ଯିଏକି ବିଜେପି ଦଳରୁ ପ୍ରାର୍ଥୀ ହୋଇ ଗୁଣପୁରରୁ ନିର୍ବାଚିତ ହୋଇଥିଲେ I

ତାଙ୍କୁ ଛାଡିଦେଲେ ଆଉ କେହି ବି ବିଜେପି ଦଳରୁ ନିର୍ବାଚନ ଜିତି ପାରିନାହାନ୍ତି I ରାମମୂର୍ତ୍ତି ବ୍ୟାଙ୍କ ଚାକିରୀ ଛାଡି ବିଜୁ ପଟନାୟକଙ୍କ ବିଚାରଧାରାରେ ଉଦବୁଦ୍ଧ ହୋଇ ରାଜନୀତିକୁ ଆସିଥିଲେ I ସେ ବିଧାୟକ ଥିବା ସମୟରେ ଗୁଣପୁର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଥିଲା ଯାହାକୁ ବିଜୁ ପଟନାୟକ ଉଦଘାଟନ କରିଥିଲେ I ତାଙ୍କ ସମୟରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନୟନ କାର୍ଯ୍ୟ ସମାପନ ହୋଇଥିଲା I କିନ୍ତୁ ପରବର୍ତୀ ସମୟରେ ତାଙ୍କ ବିରୋଧରେ ପତ୍ନୀ ହତ୍ୟା ଅଭିଯୋଗ ଆସିବା ପରେ ସେ ବିବାଦୀୟ ହୋଇ ଯାଇଥିଲେ I ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ବର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ | ଆଜି ତାଙ୍କ ବିୟୋଗ କଥା ପ୍ରୋକଟ ହେବା ପରେ ତାଙ୍କ ସମର୍ଥକ ମାନେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ନିଜ ଗାଁ ଆମଡିଂ ସ୍ଥିତ ନିଜ ବାସଭବନରେ ତାଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ଜଣାପଡିଛି।






