ଏ.କେ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିଗଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ । ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଆଶୁତୋଷ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା । ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଥିବାରୁ ଭେଣ୍ଟିଲେଟର ରେ ରଖିଥିଲେ ଡାକ୍ତର । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସ୍ତ୍ରୀ ଓ ଶାଳକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଥିଲେ ।
୫ ତାରିଖ ସନ୍ଧ୍ୟାରେ ବିଜିପୁର ପୁଲିସ କଲୋନୀରେ ଥିବା ସନ୍ଧ୍ୟାଙ୍କ କ୍ୱାର୍ଟରକୁ ଯାଇଥିଲେ ଆଶୁତୋଷ । କ୍ୱାର୍ଟରରେ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ଓ ତାଙ୍କ ଭାଇ ରହିଥିଲେ । ହଠାତ ଉଭୟେ ସନ୍ଧ୍ୟା ଓ ତାଙ୍କ ଭାଇ ଆଶୁତୋଷଙ୍କ ଉପରେ ପେଟ୍ରୋଲ ଢ଼ାଳିଥିଲେ । ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ତାଙ୍କୁ ଦିଆସିଲିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବା ପରେ ସନ୍ଧ୍ୟାଙ୍କ କ୍ୱାର୍ଟରରୁ ବାହାରି ଅନ୍ୟ ଏକ ଘରେ ପ୍ରବେଶ କରିଥିଲେ । ସେଠାକାର ଲୋକେ ଶରୀରର ପାଣି ଢାଳିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ MKCG ମେଡିକାଲ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।






