ରାୟଗଡ଼ା,୧୫/୬(ସୋନୁ ବାଗ୍): ଆଜି ମଧ୍ୟାହ୍ନରେ ରାୟଗଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। କାଳବୈଶାଖି ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା, ଗଛ ଉପୁଡିବା ସହ ଜଣେ ୧୦ମ ଶ୍ରେଣୀର ଛାତ୍ର ଗୁରତ୍ତର ହୋଇଥିବା ଜଣାପଡିଛି ।
ଆହାତ ଛାତ୍ର ଜଣଙ୍କ ହେଳେ ଜଗାଗୁଡା ଗ୍ରାମର ରମେଶ କଣ୍ଡାଗିରି । ସେ ନଦୀକୁ ଗାଧେଇବାକୁ ଯାଇ ଫେରିବା ସମୟରେ ପ୍ରବଳ ପବନ ହୋଇଥିଲା ଏବଂ ଗଛ ତଳେ ସେ ଆଶ୍ରୟ ନେବା ବେଳେ ରମେଶ ଉପରେ ଗଛ ପଡିଯାଇଥିଲା । ଫଳରେ ତାଙ୍କର ଅଣ୍ଟାରେ ଗୁରୁତ୍ତର ଆଘାତ ଲାଗିଛି । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ।
ରାୟଗଡା ସହରରେ ମଧ୍ୟ ପ୍ରାୟ ଏକ ଘଣ୍ଟା ଧରି ପବନ, ବର୍ଷା ସହିତ ବଜ୍ରପାତ ହୋଇଥିଲା। ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଏଥିସହ ରାୟଗଡ଼ା ସହରରେ ବର୍ଷା ପାଣି ରାସ୍ତା ଉପରେ ପ୍ରବାହିତ ହୋଇ କିଛି ସମୟ ପାଇଁ ଜାତାୟତ ସମସ୍ୟା ସୃଷ୍ଟି ହୋଇଥିଲା। କିଛି ଖାଲୁଆ ଅଞ୍ଚଳରେ ଲୋକଙ୍କ ଘର ଭିତରେ ଡ୍ରେନ ପାଣି ପ୍ରବେଶ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ କିଛି ସମୟ ପାଇଁ କୁତ୍ରିମ ହ୍ରଦ ଭଳି ସ୍ଥିତ ସୃଷ୍ଟି ହୋଇଥିଲା ।
ସହର ନେହେରୁ ନଗର, ଉତ୍କଳମଣି ନଗର, ନ୍ୟୁ କୋଲୋନୀ, ଅଣ୍ଟାରିଗୁଡା, ରୟତ କଲୋନୀ ଠାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିଲା । କାଳବୈଶାଖି ପ୍ରଭାବରେ ଓଡ଼ିଶା – ଆନ୍ଧ୍ରପ୍ରଦେଶ ରାସ୍ତାରେ ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାୟଗଡ଼ା ବ୍ଲକ ତାଡମା ପଞ୍ଚାୟତ ଚିନ୍ତାଲଗୁଡା ଠାରେ ଏକ ବଡ ତେନ୍ତୁଳି ଗଛ ଉପୁଡ଼ି ପଡି ବାଇପାସ୍ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କାଳବୈଶାଖି ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ମଧ୍ୟ ହୋଇଛି ।
ଏହା ସହ ଗୁରୁମଗୁଡା ଗ୍ରାମରେ ଗୋଟିଏ ଘରର ଛପର ଉଡିଯାଇଥିବା ବେଳେ ୨ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି । ଅନ୍ୟ କିଛି ଗାଁରେ ମଧ୍ୟ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ ବିଭାଗ ପ୍ରଭାବିତ ଅଞ୍ଚଳକୁ ଯାଇ ରାସ୍ତା ଅବରୋଧ ହଟାଇବା ସହ ବିଦ୍ୟୁତ ତାର ମରାମତି କାର୍ଯ୍ୟ ତ୍ବରାନ୍ବୀତ କରୁଥିବା ସୂଚନାରୁ ଜଣାପଡିଛି ।






