ସୋନପୁର, ୨୧ ଜୁନ: ବିଶ୍ୱ ଯୋଗ ଦିବସ ଅବସରରେ ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟଗତ ଉପକାରିତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପକ୍ଷରୁ ରାଜ୍ୟରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି ଏବଂ ଆର୍ଥିକ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ବିଭିନ୍ନ ସ୍ତରର ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ତେବେ ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଯଥାର୍ଥ ଭାବେ ପରିଚାଳିତ ହୋଇନଥିବା ଅଭିଯୋଗ ଉଠିଛି।
ସୂଚନା ଅନୁଯାୟୀ, ଗ୍ରାମପଞ୍ଚାୟତ ସ୍ତରରେ ୫୦ ଜଣ ଅଂଶଗ୍ରହଣକାରୀଙ୍କ ପାଇଁ ୨ ହଜାର ଟଙ୍କା, ବ୍ଲକ ମୁଖ୍ୟାଳୟରେ ୨୦୦ ଜଣଙ୍କ ପାଇଁ ୧୫ ହଜାର ଟଙ୍କା, ଜିଲ୍ଲା ମୁଖ୍ୟାଳୟରେ ୫୦୦ ଜଣଙ୍କ ପାଇଁ ୨ ଲକ୍ଷ ଟଙ୍କା, ମହାନଗର ନିଗମ ଅଞ୍ଚଳରେ ୫୦୦ ଜଣଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ପ୍ରମୁଖ ଦର୍ଶନୀୟ ସ୍ଥାନରେ ୨୦୦ ଜଣଙ୍କ ପାଇଁ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିଲା। ହେଲେ ସୋନପୁର ଜିଲ୍ଲାରେ ଏହି ଅର୍ଥର ସଠିକ୍ ବ୍ୟବହାର ଏବଂ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନେଇ ପ୍ରଶ୍ନ ଉଠିଛି।
ଅଭିଯୋଗ ଅନୁସାରେ, ଜିଲ୍ଲା ମୁଖ୍ୟାଳୟରେ ୫୦୦ ଜଣଙ୍କ ଅଂଶଗ୍ରହଣ ପାଇଁ ଅର୍ଥ ଆସିଥିବା ସତ୍ତ୍ୱେ ବ୍ୟବସ୍ଥା ମାତ୍ର ପ୍ରାୟ ୨୦୦ ଜଣଙ୍କ ପାଇଁ କରାଯାଇଥିଲା। ବ୍ଲକ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ଯଥେଷ୍ଟ ଭାବେ ଆୟୋଜନ ହୋଇନଥିବା କୁହାଯାଉଛି। ବିଡିଓମାନଙ୍କ ପକ୍ଷରୁ ସଠିକ୍ ସମନ୍ୱୟ ଓ ପ୍ରଚାର-ପ୍ରସାର ନ ହେବାରୁ ଅନେକ ସ୍ଥାନରେ ଉପସ୍ଥିତି ଆଶାନୁରୂପ ହୋଇନଥିଲା।
ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ କେବଳ ଫଟୋ ଉଠାଇବାରେ ସୀମିତ ରହିଥିବା ଅଭିଯୋଗ ହୋଇଛି। ଯୋଗ ପ୍ରଶିକ୍ଷଣ ପାଇଥିବା ଶିକ୍ଷକମାନଙ୍କୁ ବିଭିନ୍ନ କେନ୍ଦ୍ରକୁ ପଠାଯାଇଥିଲେ ମଧ୍ୟ ସେମାନଙ୍କୁ ଯଥୋଚିତ ସମ୍ମାନ ଓ ସହଯୋଗ ମିଳିନଥିବା ଜଣାପଡ଼ିଛି। ଏପରିକି କେତେକ ବ୍ଲକରେ ବ୍ଲକ ଅଧିକାରୀ ଏବଂ କିଛି ପଞ୍ଚାୟତରେ ସମ୍ପୃକ୍ତ ପଞ୍ଚାୟତ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିଥିଲେ ମଧ୍ୟ ଜିଲ୍ଲା ସ୍ତରରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା କିମ୍ବା ସମୀକ୍ଷା ହୋଇଥିବା ସୂଚନା ମିଳିନାହିଁ।
ଏପରି ପରିସ୍ଥିତିରେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହୋଇଛି କି ନାହିଁ ଏବଂ ବ୍ୟୟବରାଦ ହୋଇଥିବା ଅର୍ଥର ସଠିକ୍ ବ୍ୟବହାର ହୋଇଛି କି ନାହିଁ, ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ କି ନା ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗ ଚାପି ଦିଆଯିବ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।






