ସୁବର୍ଣ୍ଣପୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସମାଜସେବା ଓ ମାନବିକତାର ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସ୍ୱେଚ୍ଛାସେବୀ ରକ୍ତଦାନ କରି ଜୀବନ ରକ୍ଷାର ମହାନ ସଙ୍କଳ୍ପକୁ ସାର୍ଥକ କରିଥିଲେ।
ଏହି ଅବସରରେ ପ୍ରମିଳା ସାହୁ ଏକ ଉଦାହରଣ ସୃଷ୍ଟି କରି ନିଜ ମୃତ୍ୟୁ ପରେ ଶରୀରକୁ ମେଡିକାଲ କଲେଜକୁ ଦାନ କରିବେ ବୋଲି ସର୍ବସାଧାରଣଙ୍କ ସମ୍ମୁଖରେ ଘୋଷଣା କରିଥିଲେ। ତାଙ୍କର ଏହି ମହତ୍ ନିଷ୍ପତ୍ତିକୁ ଉପସ୍ଥିତ ଅତିଥି ଓ ସାଧାରଣ ଲୋକେ ପ୍ରଶଂସା କରିଥିବା ବେଳେ ଏହା ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରର ଉଦ୍ଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ ରକ୍ତଦାନକୁ “ମହାଦାନ” ବୋଲି ବର୍ଣ୍ଣନା କରି ଯୁବପିଢ଼ିଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ଓ ଅଙ୍ଗ ଏବଂ ଶରୀର ଦାନ ଭଳି ମାନବିକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମରେ ବହୁ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଏବଂ ରକ୍ତଦାତା ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ। ରକ୍ତଦାନ ସହିତ ଶରୀର ଦାନର ସଚେତନତା ବାର୍ତ୍ତା ଏହି ଆୟୋଜନକୁ ଅଧିକ ମହତ୍ୱପୂର୍ଣ୍ଣ କରି ଥିଲା ରିପୋଟିଂ – ଯୁଧିଷ୍ଠିର ଖମାରୀ






