ଏ.କେ ବ୍ୟୁରୋ : କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ଗ୍ରାମପଞ୍ଚାୟତର ନାଥ ସାହି (୨ ନମ୍ବର ୱାର୍ଡ)ରେ ରାସ୍ତା ଅଭାବ ଯୋଗୁଁ ପ୍ରାୟ ୧୫ରୁ ଅଧିକ ପରିବାର ଏବଂ ଦେଢ଼ ଶହରୁ ଅଧିକ ଲୋକ ଦୀର୍ଘଦିନ ଧରି ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ଅଳ୍ପ ବର୍ଷା ହେଲେ ସମଗ୍ର ରାସ୍ତା କାଦୁଅରେ ପରିଣତ ହୋଇଯାଉଥିବାରୁ ଗ୍ରାମକୁ ଯିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ୁଛି।

ଗ୍ରାମବାସୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଏହି ସମସ୍ୟା ଉଠାଇଥିଲେ। ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଦୁଇ ମାସ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସମ୍ପୃକ୍ତ ବିଭାଗ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦୁଇ ମାସରୁ ଅଧିକ ପ୍ରାୟ ୧ ବର୍ଷ ସମୟ ବିତିଯାଇଥିଲେ ମଧ୍ୟ କୌଣସି କାମ ଆରମ୍ଭ ହୋଇନାହିଁ।ବର୍ତ୍ତମାନ ଗ୍ରାମବାସୀମାନେ ବାଧ୍ୟ ହୋଇ ବ୍ୟକ୍ତିଗତ ଜମି ଦେଇ ଯାତାୟାତ କରୁଛନ୍ତି। ଯଦିଓ ପାଖରେ ସରକାରୀ ବିଭାଗର (କାଢ଼ା ) ପ୍ରାୟ ୨୦ ଫୁଟ ଚଉଡ଼ା ଜମି ଥିବା କୁହାଯାଉଛି, ସେଠାରେ ରାସ୍ତା ନିର୍ମାଣ ହେଲେ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସମାଧାନ ହୋଇପାରିବ।ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ପହଞ୍ଚିପାରୁନାହିଁ। ରୋଗୀ ଓ ପ୍ରସୂତା ମହିଳାଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ୁଛି।ଜରୁରୀକାଳୀନ ସେବା, ଦମକଳ ବାହିନୀ ମଧ୍ୟ ଗ୍ରାମକୁ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛି। କାଦୁଅ ରାସ୍ତାରେ ସାପ ଓ ବିଷଧର ପୋକମାକଡ଼ର ଭୟ ମଧ୍ୟ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ, ବାରମ୍ବାର ଜନଶୁଣାଣୀରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନେଇନାହାନ୍ତି। ସେମାନେ ଜିଲ୍ଲାପାଳ, ସାଲେପୁର ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର।






