ଏ.କେ ବ୍ୟୁରୋ : ଉଫୁଲାରେ ୪୩ତମ ସାର୍ବଜନୀନ ଦୁର୍ଗା ପୂଜା ଉତ୍ସବ ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଉଫୁଲାଠାରେ ଚାଲିଥିବା ୪୩ତମ ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଭଜନ ସନ୍ଧ୍ୟା ଓ ସମ୍ବଲପୁରୀ ଲୋକନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ସନ୍ଧ୍ୟାରେ ଭଜନର ମଧୁର ସ୍ୱର ସହ ସମ୍ବଲପୁରୀ ଲୋକକଳାର ମନମୁଗ୍ଧକର ପରିବେଷଣ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।
ପୂଜାର ପ୍ରଥମ ଦିବସରେ ‘ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା’ ଗ୍ରୁପ୍ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଇପ୍ସିତା ପ୍ରିୟଦର୍ଶିନୀ ପାଢ଼ୀ, ମୋନାଲିସା ନନ୍ଦ, ସୁଦର୍ଶନ ବିଶ୍ୱାଳ, ମହେଶ ଶତପଥୀ ଓ କାର୍ତ୍ତିକ ଭୋକ୍ତା ପ୍ରମୁଖ ଭକ୍ତିମୟ ଭଜନ ପରିବେଷଣ କରିଥିଲେ। ସେହିପରି ରାଜେଶ ଶତପଥୀ, କାର୍ତ୍ତିକ ଭୋକ୍ତା, ବିମଳ ଥାପା, ମନୋରଞ୍ଜନ ଭୋଇ ଓ ଜିତେନ୍ଦ୍ର କୁମ୍ଭାର ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଦ୍ୱିତୀୟ ଦିବସରେ ମଧ୍ୟ ‘ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା’ ଗ୍ରୁପ୍ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଏହା ସହିତ ବୀରମହାରାଜପୁରସ୍ଥିତ ଭୀମ ଭୋଇ କଳା ନିକେତନ ପକ୍ଷରୁ ମଦନ ସୁନ୍ଦର ଭୋଇ ଓ ତାଙ୍କ ସାଥୀମାନେ ମନୋରମ ସମ୍ବଲପୁରୀ ଲୋକଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପାରମ୍ପରିକ ଲୋକକଳାର ଏହି ଆକର୍ଷଣୀୟ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଦେଇଥିଲା। ଦୁର୍ଗା ପୂଜାକୁ ଆଧ୍ୟାତ୍ମିକ ଭାବଧାରା ସହ ସାଂସ୍କୃତିକ ମହକରେ ଭରିଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କ୍ଲବ୍ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।
(ସୋନପୁର ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ ଆପଣଙ୍କ ଖବର )






