ଏ.କେ ବ୍ୟୁରୋ : ବନ୍ୟାର ବିଭୀଷିକାରେ ଛାରଖାର ହୋଇଯାଇଥିବା ପୁରୁଷୋତ୍ତମପୁର ଅଞ୍ଚଳର କ୍ଷୟକ୍ଷତି ଆକଳନ କରିବା ପାଇଁ ୮ ଜଣିଆ କେନ୍ଦ୍ରୀୟ ଦଳ ବୁଧବାର ଦିନ ପହଞ୍ଚିଥିଲେ। ଏହି ଦଳ ସହିତ ଗଞ୍ଜାମ ଜିଲ୍ଲାର ଆର୍.ଡି.ସି. ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ଉପଜିଲ୍ଲାପାଳ ସୁଭାଶିଷ ବରାଳ, ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା, ବି.ଡି.ଓ. ଦେବାଶିଷ ସାମଲ, ଏସ୍.ଡି.ପି.ଓ. ସୁଜିତ୍ କୁମାର ନାୟକ, ଆଇ.ଆଇ.ସି. କୁଳମଣି ସେଠୀ ଏବଂ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଦଳ ପ୍ରଥମେ ଆଛୁଲି ଗ୍ରାମରେ ସ୍ଥିତି ଅନୁଧ୍ୟାନ କରିବା 
ପରେ ସେଠାରୁ ସିଧା ପୁରୁଷୋତ୍ତମପୁର ଦେଇ ଆଣ୍ଟିରୀଗାଁ ଠାରେ ଥିବା ହୀରାଧର ବାଟୀକୁ ଯାଇ ସେଠାରେ ସ୍ଥିତିକୁ ପୁଙ୍ଖାନୁପୁଙ୍ଖ ଭାବେ ପରଖିଥିଲେ। ବନ୍ୟା ପରେ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା, ଭାଙ୍ଗିପଡ଼ିଥିବା ଘରଦ୍ୱାର, ଜଳମଗ୍ନ ଚାଷଜମି ଓ ନଷ୍ଟ ହୋଇଯାଇଥିବା ଫସଲର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ କରିଛି ଏହି ଦଳ। ବନ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କ ମୁହଁରୁ ଏବେ ବି ଦୁଃଖର ଛାପ ଲିଭିନାହିଁ।
ଘରଠାରୁ ଚାଷଜମି ପର୍ଯ୍ୟନ୍ତ ସବୁଠି ବନ୍ୟାର ତାଣ୍ଡବର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏଭଳି ସ୍ଥିତିରେ କେନ୍ଦ୍ରୀୟ ଦଳର ପରିଦର୍ଶନ ବନ୍ୟା ବିପନ୍ନଙ୍କ ମନରେ କ୍ଷତିପୂରଣ ଓ ପୁନର୍ବାସ ନେଇ ନୂଆ ଆଶା ସଞ୍ଚାର କରିଛି। ତେବେ କେବଳ କ୍ଷୟକ୍ଷତି ଆକଳନ ଓ ରିପୋର୍ଟ ପ୍ରସ୍ତୁତିରେ ଏହି ଗସ୍ତ ସୀମିତ ନରହି ବିପନ୍ନଙ୍କୁ ଯଥାଶୀଘ୍ର ଉପଯୁକ୍ତ ସହାୟତା ଯୋଗାଇଦେବା ଦିଗରେ ଠୋସ୍ ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ହୋଇଛି। କାରଣ ବନ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କ ପାଇଁ କେବଳ ଆଶ୍ୱାସନା ନୁହେଁ, ବରଂ ତୁରନ୍ତ ସହାୟତା ଓ ନ୍ୟାୟସଙ୍ଗତ କ୍ଷତିପୂରଣ ମିଳିବା ଜରୁରୀ ହୋଇପଡ଼ିଛି।
ପୁରୁଷୋତ୍ତମପୁରରୁ ତ୍ରିଲୋଚନ ଦାଶଙ୍କ ରିପୋର୍ଟ ଆପଣଙ୍କ ଖବର






