ଏ.କେ ବ୍ୟୁରୋ : PF ଗ୍ରାହକଙ୍କ ପାଇଁ ବଡ଼ ଖବର । ଏଣିକି ପିଏଫ୍ ଖାତାରୁ ଟଙ୍କା ଉଠାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ।EPFO ପକ୍ଷରୁ UPI ଆଧାରିତ ପିଏଫ୍ ପ୍ରତ୍ୟାହାର ଟେଷ୍ଟିଂ ସଫଳତାର ସହ ଶେଷ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ।

ଏହି ନୂଆ ସୁବିଧା ଫଳରେ ଗ୍ରାହକମାନେ ପିଏଫ୍ ଟଙ୍କାକୁ ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟକୁ UPI ଆପ୍ ମାଧ୍ୟମରେ ମାତ୍ର କେଇ ମିନିଟ୍ ମଧ୍ୟରେ ଟ୍ରାନ୍ସଫର କରିପାରିବେ । ପୂର୍ବରୁ ପିଏଫ୍ ଉଠାଣ ପାଇଁ EPFO ପୋର୍ଟାଲରେ ଅନଲାଇନ୍ କ୍ଲେମ୍ କରିବାକୁ ପଡ଼ୁଥିଲା । ଯେଉଁଥିରେ କମ୍ପାନୀର ଭେରିଫିକେସନ୍ ଏବଂ ପେପରୱାର୍କ ଯୋଗୁ ସପ୍ତାହେ ପର୍ଯ୍ୟନ୍ତ ସମୟ ଲାଗୁଥିଲା । ବର୍ତ୍ତମାନ ଆବେଦନ କରିବାର କିଛି ମିନିଟ୍ ମଧ୍ୟରେ ଟଙ୍କା ସିଧାସଳଖ ଲିଙ୍କ୍ ଥିବା ବ୍ୟାଙ୍କ ଖାତାକୁ ଆସିଯିବ । ଜରୁରୀ ପରିସ୍ଥିତିରେ ଗ୍ରାହକମାନେ ସେମାନଙ୍କର ମୋଟ ପିଏଫ୍ ବାଲାନ୍ସର ୭୫% ପର୍ଯ୍ୟନ୍ତ ଟଙ୍କା ଏହି ମାଧ୍ୟମରେ ଉଠାଇପାରିବେ । EPFO 3.0 ର ଏହି ଡିଜିଟାଲ୍ ଅପଗ୍ରେଡ୍ ଅଧୀନରେ ଆଗକୁ ATM ମାଧ୍ୟମରେ ମଧ୍ୟ ପିଏଫ୍ ଟଙ୍କା ଉଠାଇବାର ଯୋଜନା ରହିଛି ।
ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କ ପାଖରେ କିଛି ଜରୁରୀ ଜିନିଷ ଅପଡେଟ୍ ରହିବା ଆବଶ୍ୟକ । UAN ନମ୍ବର ସକ୍ରିୟ ଥିବା ଦରକାର । UAN ଅର୍ଥାତ ୟୁନିଭରସାଲ ଆକାଉଣ୍ଟ ନମ୍ବର । ସେହି UAN ସହ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ଥିବା ଜରୁରୀ । KYC ବିବରଣୀ ସମ୍ପୂର୍ଣ୍ଣ ସଠିକ୍ ଥିବା ମଧ୍ୟ ଆବଶ୍ୟକ । ଏଥିରେ ଟଙ୍କା ଯେପରି ଠକେଇ ନହୋଇପାରିବ ସେଥିପାଇଁ ଆଧାର OTP ବା ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ପରି କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ରହିବ । ମେଡିକାଲ୍ ଏମରଜେନ୍ସି, ଉଚ୍ଚଶିକ୍ଷା, ବିବାହ, କିମ୍ବା ଘର କିଣିବା ପରି ନିର୍ଦ୍ଦିଷ୍ଟ କାରଣ ପାଇଁ ହିଁ ଏହି ଟଙ୍କା ଉଠାଯାଇପାରିବ । EPFO ର ଏହି ପଦକ୍ଷେପ ଦ୍ୱାରା ଦେଶର ୭ କୋଟିରୁ ଅଧିକ ସଦସ୍ୟ ଲାଭବାନ ହେବେ । କେବଳ ସେତିକି ନୁହେଁ, ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ WhatsApp ଭିତ୍ତିକ ସପୋର୍ଟ ସିଷ୍ଟମକୁ ମଧ୍ୟ ବୃଦ୍ଧି କରାଯାଉଛି । ଏହି UPI ବ୍ୟବସ୍ଥା ଖୁବ୍ ଶୀଘ୍ର ସାରା ଦେଶରେ ପର୍ଯ୍ୟାୟକ୍ରମେ ଲାଗୁ ହେବାକୁ ଯାଉଛି ।






