ଏ.କେ ବ୍ୟୁରୋ :: ବର୍ତ୍ତମାନ ବାୟୁସେନା ପାଖରେ ଯୁଦ୍ଧ ବିମାନ ସ୍କ୍ୱାର୍ଡନର ଘୋର ଅଭାବ ରହିଥିବା ବେଳେ, ଦୁଇଟି ସମ୍ମୁଖ ଯୁଦ୍ଧ ପାଇଁ ଆବଶ୍ୟକ ୪୨ଟି ସ୍କ୍ୱାର୍ଡନ ଲକ୍ଷ୍ୟ ପୂରଣ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ସୀମାରେ ଦୁଇ ପଡ଼ୋଶୀ ଶତ୍ରୁ ଚୀନ୍ ଓ ପାକିସ୍ତାନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ଏକ ବିଶାଳ ପ୍ରତିରକ୍ଷା ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଛି।

ବାୟୁସେନା ପକ୍ଷରୁ ୧୧୪ଟି ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟ କିଣିବା ପାଇଁ ପ୍ରାରମ୍ଭିକ ଟେଣ୍ଡର ଦଲିଲ ପ୍ରସ୍ତୁତ କରାଯାଇଛି। ପ୍ରାୟ ୩.୩ ଲକ୍ଷ କୋଟି ଟଙ୍କାର ଏହି ମେଗା ଚୁକ୍ତି ଭାରତର କ୍ଷମତାକୁ ବହୁଗୁଣିତ କରିବ। ବର୍ତ୍ତମାନ ବାୟୁସେନା ପାଖରେ ଯୁଦ୍ଧ ବିମାନ ସ୍କ୍ୱାର୍ଡନର ଘୋର ଅଭାବ ରହିଥିବା ବେଳେ, ଦୁଇଟି ସମ୍ମୁଖ ଯୁଦ୍ଧ ପାଇଁ ଆବଶ୍ୟକ ୪୨ଟି ସ୍କ୍ୱାର୍ଡନ ଲକ୍ଷ୍ୟ ପୂରଣ କରିବାରେ ଏହି ପ୍ରକଳ୍ପ ସହାୟକ ହେବ।
”ମେକ୍ ଇନ୍ ଇଣ୍ଡିଆ” ଅଭିଯାନ ଅଧୀନରେ ଏହି ପ୍ରକଳ୍ପରେ ୨୨ଟି ବିମାନ ଫ୍ରାନ୍ସରୁ ସିଧାସଳଖ ଉଡ଼ି ଭାରତ ଆସିବ, ଯାହା ବାୟୁସେନାର ତୁରନ୍ତ ଆବଶ୍ୟକତା ପୂରଣ କରିବ। ଅବଶିଷ୍ଟ ୯୨ଟି ବିମାନ ଭାରତୀୟ କମ୍ପାନୀଗୁଡ଼ିକର ସହଭାଗିତାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବ। ଏଥିରେ ପ୍ରାୟ ୬୦ ପ୍ରତିଶତ ପର୍ୟ୍ୟନ୍ତ ସ୍ୱଦେଶୀ ଅଂଶ ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଫ୍ରାନ୍ସ ଗସ୍ତ ପୂର୍ବରୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଯଦି ୨୦୨୬ ଶେଷ ସୁଦ୍ଧା ଚୁକ୍ତି ସ୍ୱାକ୍ଷରିତ ହୁଏ, ତେବେ ୨୦୨୯ କିମ୍ବା ୨୦୩୦ ବେଳକୁ ପ୍ରଥମ ବିମାନ ବାୟୁସେନାରେ ସାମିଲ ହୋଇପାରିବ। ଏହି ବୃହତ ପ୍ରକଳ୍ପ ଦ୍ୱାରା ଦେଶରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବା ସହ ଭାରତ ବିଶ୍ୱ ପ୍ରତିରକ୍ଷା ନିର୍ମାଣର ଏକ ପ୍ରମୁଖ ହବ୍ ପାଲଟିବ।






