ଏ.କେ ବ୍ୟୁରୋ : ଆନ୍ଦୋଳନକୁ ଓହ୍ଲାଇବେ ମମତା । କାଲି ବିଜେପି ସରକାର ବିରୋଧରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ସୁପ୍ରିମୋ ମମତା ବାନାର୍ଜୀ ଏହି ଆନ୍ଦୋଳନର ନେତ୍ୱତ୍ୱ ନେବେ। ତେବେ ପୋଲିସ ଏହି ଆନ୍ଦୋଳନ ପାଇଁ ଅନୁମତି ଦେଉ ନଥିବାରୁ ମମତା ରାଜ୍ୟ ସରକାର ଓ ପୋଲିସକୁ ଚରମବାଣୀ ଶୁଣାଇଛନ୍ତି। ଆନ୍ଦୋଳନ ପାଇଁ କୋଲକାତାରେ ଅନୁମତି ନମିଳିଲେ ଦିଲ୍ଲୀରେ ଆନ୍ଦୋଳନ ହେବ।

ପୋଲିସ ଚାହିଁଲେ ମତେ ଗିରଫ କରି ପାରିବ ବୋଲି ମମତା। ତୃଣମୂଳ କଂଗ୍ରେସ ନେତାଙ୍କ ଉପରେ ଆକ୍ରମଣ, ପଶ୍ଚିମବଙ୍ଗ ସରକାରଙ୍କ ବୁଲଡୋଜର ଆକ୍ସନ ଭଳି ପ୍ରସଙ୍ଗକୁ ନେଇ କାଲିଠାରୁ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ରାଣୀ ରାସମଣି ରୋଡରେ ଆନ୍ଦୋଳନ ପାଇଁ ତୃଣମୂଳ କଂଗ୍ରେସକୁ ପୋଲିସ ଅନୁମତି ଦେଉନଥିଲେ ବି ଆମେ ପଛକୁ ହଟିବୁ ନାହିଁ ବୋଲି କହିଛନ୍ତି ମମତା।
ତୃଣମୂଳ କଂଗ୍ରେସର ବରିଷ୍ଠ ନେତାଙ୍କ ଉପରେ ଆକ୍ରମଣ ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଧାନସଭା ନିର୍ବାଚନ ପରେ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ବିଜେପି- ଟିଏମସି ବିବାଦ ତେଜିଛି।
ସେହିପରି ରେଳବାଇ ପକ୍ଷରୁ କୋଲକାତା ଏବଂ ଆଖପାଖ ଅଞ୍ଚଳରେ ଫେରିବାଲାଙ୍କୁ ବିନା ଥଇଥାନରେ ଉଚ୍ଛେଦ କରାଯାଉଥିବାରୁ ଟିଏମସି ଏହାକୁ ଜୋରଦାର ବିରୋଧ କରୁଛି। ଏହି ଘଟଣାକୁ ନେଇ ଟିଏମସି ଏବେ ସାରା ରାଜ୍ୟରେ ବ୍ଲକ ଏବଂ ୱାର୍ଡ ସ୍ତରରେ ଆନ୍ଦୋଳନ ତେଜିବାକୁ ପ୍ରସ୍ତୁତ ହେଉଛି।






