ଏ.କେ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅଙ୍କ ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ କେରଳମ୍ରେ ବିଭିନ୍ନ ସ୍ଥାନରେ ଚଢଉ ସମୟରେ ବୁଧବାର ତିରୁଅନନ୍ତପୁରମ୍ଠାରେ ସିପିଆଇ(ଏମ୍) କର୍ମୀଙ୍କ ଏକ ଗୋଷ୍ଠୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି।
ଇଡିର କାର୍ୟ୍ୟାନୁଷ୍ଠାନ ପ୍ରତିବାଦରେ ସିପିଆଇ(ଏମ୍) କର୍ମୀମାନେ ଇଡି ଦଳର ଗାଡ଼ିକୁ ଅବରୋଧ କରିଥିଲେ ଓ କେନ୍ଦ୍ରୀୟ ଏଜେନ୍ସି ବିରୋଧରେ ସ୍ଲୋଗାନ ଦେବା ସହିତ ଇଟା ପଥର ଫିଙ୍ଗି ଗାଡ଼ିର ୱିଣ୍ଡସିଲ୍ଡକୁ କ୍ଷତି ପହଞ୍ଚାଇଥିଲେ।
ଇଡି ବୁଧବାର ସକାଳଠାରୁ ଚଢ଼ଉ ଜାରି ରଖିଥିବାବେଳେ ଅପରାହ୍ଣରେ ବିଜୟନଙ୍କ ଘରୁ ବାହାରିବା ସମୟରେ ସେଠାରେ ଉପସ୍ଥିତ ଦଳୀୟ କର୍ମୀ ଓ ସମର୍ଥକ ଇଡି ଅଧିକାରୀଙ୍କ ଗାଡ଼ିକୁ ଘେରି ଯାଇଥିଲେ। ପୁଲିସ ବହୁ କଷ୍ଟରେ ଇଡି ଅଧିକାରୀଙ୍କ ଗାଡ଼ିକୁ ସେଠାରୁ ବାହାର କରିଥିଲେ। କୌଣସି ଇଡି ଅଧିକାରୀ ଏହି ଘଟଣାରେ ଆହତ ହୋଇନାହାନ୍ତି। ବିଜୟନଙ୍କ ଘରେ ଚଢ଼ଉକୁ ସିପିଆଇ ତୀବ୍ର ସମାଲୋଚନା କରିଛି।
ସିପିଆଇ ଆଧିକାରିକ ବୟାନରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ସେମାନେ ସଂଘ ପରିବାର ରାଜନୀତି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି। ବିଜେପି ଯେତେବେଳେ ଗଣତାନ୍ତ୍ରିକ ଉପାୟରେ ଲୋକଙ୍କୁ ହରାଇ ପାରୁନାହିଁ ସେତେବେଳେ ଇଡି, ସିବିଆଇ ପରି କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରୁଛି ବୋଲି ସିପିଆଇ ପକ୍ଷରୁ କୁହାଯାଇଛି।






